ଈଶ୍ୱରପ୍ପାଙ୍କୁ ଫୋନ୍ କଲେ ମୋଦି
ଅସନ୍ତୁଷ୍ଟଙ୍କୁ ମନେଇବା ଉଦ୍ୟମ
ନୂଆଦିଲ୍ଲୀ (ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ବିଭିନ୍ନ ଦଳରେ ଟିକେଟ ପାଇ ନ ଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶାସକ ବିଜେପିରେ ଅସନ୍ତୁଷ୍ଟଙ୍କ ସଖ୍ୟା ଅଧିକ ରହିଛି । ଜଗଦୀଶ ସେଟ୍ଟାର ଓ ସାବ୍ଦିଙ୍କ ଭଳି କିଛି ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଆଉ କେତେକ ନିରବ ରହିଥିଲେବି ସେମାନଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେବା କିଛି ଅସମ୍ଭବ ନୁହେଁ । ଏହି ପରିପ୍ରେକ୍ଷୀରେ ଟିକେଟ ନ ପାଇ ରାଜନୀତିରୁ ଅବସର ଘୋଷଣା କରି ନିରବ ରହିଥିବା ବିଜେପିର ବରିଷ୍ଠ ନେତା କେଏସ୍ ଈଶ୍ୱରପ୍ପାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନକରି କଥା ହେବା ସହିତ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଈଶ୍ୱରପ୍ପା ବିଜେପିକୁ ସମର୍ଥନ କରିବେ ବୋଲି କହିଥିବା ଆଲୋଚନା ହେଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଦଳ ପ୍ରତି ଇଶ୍ୱରପ୍ପାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତିି । ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ସୋସାଲମିଡିଆରେ ଭାଇରାଲ ହେଉଛି । ପ୍ରଧାନମନ୍ତ୍ରୀ କହୁଥିବା ଶୁଣିବାକୁ ମିଳୁଛି, ଆପଣ ଦଳ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଏହା ବହୁତ ଖୁସିର ବିଷୟ । ତେଣୁ ଆପଣଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଲି । କର୍ଣ୍ଣାଟକ ଗଲେ ଆପଣଙ୍କୁ ନିଶ୍ଚିତ ଭାବରେ ଭେଟିବି । ଜବାବରେ ଈଶ୍ୱରପ୍ପା ବିଜେପି ବିଜୟୀ ହେବ ବୋଲି କହୁଥିବା ଦେଖିବାକୁ ମିଳିଛି । ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଈଶ୍ୱରପ୍ପା କହିଛନ୍ତି, ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ପ୍ରଧାନମନ୍ତ୍ରୀ ଫୋନ୍ କରିବେ । ତାଙ୍କ ଫୋନ୍ କଲ ପ୍ରେରଣା ଦେଲା । ବିଜେପି ବୁଧବାର ଶିମୋଗା ଓ ମନଭି ଆସନ ପାଇଁ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି । ଏଥର ଈଶ୍ୱରପ୍ପାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ୍ ଦେଇନାହିଁ । କୁହାଯାଉଛି ଯେ ଶିମୋଗା ଆସନରୁ ପାଞ୍ଚଥର ବିଧାୟକ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ୱରପ୍ପା ତାଙ୍କ ପୁଅ କେଇ କାଣ୍ଟେଶଙ୍କ ପାଇଁ ଟିକେଟ ମାଗିଥିଲେ । ହେଲେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିଲା ।