ଲୁହରେ ଭିଜିଲା ଯବାନଙ୍କ ଗାଁ

ଦ୍ଭ କାନ୍ଦୁଛନ୍ତି ଆତ୍ମୀୟସ୍ୱଜନ ଦ୍ଭ ଝୁରୁଛନ୍ତି ବାପା-ମା’, ପତ୍ନୀ
ସାକ୍ଷୀଗୋପାଳ (ଆପ୍ର): ପୁଞ୍ଚ୍ରେ ସହିଦ ହୋଇଥିବା ଯବାନ ଦେବାଶିଷ ବିଶ୍ୱାଳ (୨୮)ଙ୍କୁ ଝୁରୁଛି ସତ୍ୟବାଦୀ ଅଞ୍ଚଳ । ଶୋକରେ ଭିଜୁଛି ତାଙ୍କ ଗାଁ ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହି । ଝୁରୁଛନ୍ତି ଆତ୍ମୀୟସ୍ୱଜନ । ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି ବାପା-ମାଆ । ସ୍ୱୀଙ୍କ ତୁଣ୍ଡରେ ଭାଷା ନାହିଁ ।
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହିର ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ । ୨୦୨୧ ମସିହା ଅକ୍ଷୟ ତୃତୀୟା ଦିନ ସଙ୍ଗୀତାଙ୍କ ସହ ତାଙ୍କର ବିବାହ ହୋଇଥିଲା । ସେମାନଙ୍କର ଏକ ୪ମାସର ଝିଅ ଅଛି । ଆକସ୍ମିକ ମୃତୁ୍ୟ ଖବର ସେନା ମୁଖ୍ୟାଳୟରୁ ମିଳିବା ପରେ ସାରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ବାପା-ମା’, ଜେଜେବାପା ଏହି ଖବର ଶୁଣିବା ପରେ ମୁକ ପାଲଟି ଯାଇଛନ୍ତି । ପତ୍ନୀ ସଙ୍ଗୀତା ମୂର୍ଚ୍ଛା ହୋଇଯାଉଛନ୍ତି । ନିମାପଡାସ୍ଥିତ ଶ୍ୱଶୁର ଘର ଲୋକେ ମଧ୍ୟ ଭାଙ୍ଗିପଡ଼ିଛନ୍ତି ।
ଦୁଇ ଦିନ ତଳେ ବିବାହ ବାର୍ଷିକୀ ପାଳନ ପାଇଁ ଫୋନ କରି ଥିଲେ ଦେବାଶିଷ । ମାଆଙ୍କୁ ୨୩ ତାରିଖରେ କିମ୍ବା ଟିକେ ବିଳମ୍ବରେ ଘରକୁ ଆସିବେ ବୋଲି କହିଥିଲେ । ବାପା ଜାମ୍ମୁ କାଶ୍ମୀରରେ ବଣ, ଜଙ୍ଗଲ ଓ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କଥା ହୋଇଥିଲେ । ବିଧିର ବିଧାନ ସବୁ କିଛି ଓଲଟ ପାଲଟ ହୋଇଗଲା । ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଦେବାଶିଷ ସ୍ଥାନୀୟ ଗୁରୁକୁଳ ଆଥ୍ଲେଟିକ୍ସରେ କ୍ରୀଡ଼ାବିତ ତାଲିମ୍ ନେଇଥିଲେ । କୋଚ୍ ବିଷ୍ଣୁ ପ୍ରସାଦ ମିଶ୍ର, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଜୟନ୍ତୀ ବେହେରା, ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦେବାଶିଷଙ୍କ ସହପାଠୀ, ଶତାଧିକ ଶିକ୍ଷାନବୀଶଙ୍କ ସହିତ ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ନିକଟସ୍ଥ ଅଞ୍ଚଳର ଜନସାଧାରଣ ସହିଦଙ୍କ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ମରଶରୀର ପହଞ୍ଚିବା ପରେ ଅନ୍ତିମ ସଂସ୍କାର ଗ୍ରାମ୍ୟ ଶ୍ମଶାନରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ମଶାନ ସଫେଇ କରାଯାଇଛି । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କ ସୂତ୍ରରୁ ଜଣାପଡିଛି, ଶନିବାର ପୂର୍ବାହ୍ନରେ ସହିଦ୍ଙ୍କ ଶବାଧାର ସାକ୍ଷୀଗୋପାଳରେ ପହଞ୍ଚିବ । ପ୍ରଶାସନ ତରଫରୁ ପୁଷ୍ପମାଲ୍ୟ ପ୍ରଦାନ ଓ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ମରଶରୀର ସଂସ୍କାର କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *