ରାଜସ୍ଥାନକୁ ୧୫୫ ବିଜୟ ଲକ୍ଷ୍ୟ
ଆଇପିଏଲ୍-୧୬ । ୨୬ତମ ମ୍ୟାଚ୍
ଜୟପୁର, ୧୯ା୪ (ଏଜେନ୍ସି): କାଇଲ୍ ମାୟର୍ସଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ବୁଧବାର ଚଳିତ ଆଇପିଏଲ୍ର ୨୬ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୫୫ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ରାଜସ୍ଥାନ ଟିମ୍ ୧୪ ଓଭର୍ରେ ୩ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ଦେବଦତ୍ତ୍ ପଡ୍ଡିକଲ ୩ ଓ ଶିମରନ୍ ହେଟ୍ମାୟର ୧ ରନ୍ କରି ଅପରାଜିତ ଥିଲେ ।
୧୫୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ଟିମ୍ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଓ ଜୋସ୍ ବଟ୍ଲର୍ ଓପନିଂ ଯୋଡ଼ିରେ ୮୭ (୬୯ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ । ଯଶସ୍ୱୀ ୩୫ ବଲ୍ରୁ ୪୪ ରନ୍ କରି ମାର୍କସ ଷ୍ଟୋଇନିସ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମ୍ସନ୍ ମାତ୍ର ୨ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ବଟ୍ଲର୍ ୪୦ ରନ୍ କରି ଷ୍ଟୋଇନିସ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା । କାଇଲ୍ ମାୟର୍ସ ୪୨ ବଲ୍ରୁ ସର୍ବାଧିକ ୫୧ ରନ୍ର ଇନିଂସ୍ ଖେଳିଥିଲେ । ବିପକ୍ଷ ବୋଲର୍ ରବିଚନ୍ଦ୍ରନ୍ ଅଶ୍ୱିନ ୨ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା ଓ ଜାସନ୍ ହୋଲ୍ଡର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିନାୟକ ଲୋକେଶ ରାହୁଲ ଓ ମାୟର୍ସଙ୍କ ଓପନିଂ ଯୋଡ଼ି ପ୍ରଥମରୁ ଦୃଢ଼ତାର ସହ ଖେଳି ୬୪ ବଲ୍ରୁ ୮୨ ରନ୍ର ଭାଗୀଦାରୀ କରିଥିଲେ । ରାହୁଲ (୩୯)ଙ୍କୁ ଆଉଟ୍ କରି ଜାସନ୍ ହୋଲ୍ଡର ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ଆୟୁଷ ବଦୋନୀ ମାତ୍ର ୧ ରନ୍ କରି ବୋଲ୍ଟଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଦୀପକ ହୁଡ଼ା (୨) ବି ନିରାଶ କରିଥିଲେ । ଅଶ୍ୱିନ ତାଙ୍କୁ ବୋଲ୍ଡ କରିଥିଲେ । ସିଜନ୍ର ତୃତୀୟ ଅର୍ଦ୍ଧଶତକ ଲଗାଇଥିବା ମାୟର୍ ବି ଉକ୍ତ (୧୪ତମ) ଓଭର୍ରେ ଆଉଟ୍ ହୋଇଥିଲେ ।
୧୦୪ ରନ୍ରେ ଟିମ୍ ଚତୁର୍ଥ ୱିକେଟ୍ ହରାଇଥିଲା । ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ୍ ପୂରନ୍ଙ୍କ ଯୋଡ଼ି ପଞ୍ଚମ ୱିକେଟ୍ ପାଇଁ ୪୫ ରନ୍ ଯୋଗ କରିଥିଲେ । ତେବେ ରନ୍ରେଟ୍ରେ ଆଶାଜନକ ବୃଦ୍ଧି ଘଟିପାରି ନ ଥିଲା । ଷ୍ଟୋଇନିସ୍ ୨୧ ରନ୍ କରି ସନ୍ଦୀପ ଶର୍ମାଙ୍କ ଶିକାର ହୋଇଥିବା ବେଳେ ଶେଷ ଦୁଇ ବଲ୍ରେ ପୂରନ୍ (୨୯) ଓ ଯୁଦ୍ଧବୀର ସିଂହ (୧) ରନ୍ଆଉଟ୍ ହୋଇଥିଲେ । କୃଣାଲ୍ ପାଣ୍ଡ୍ୟା ୪ ରନ୍ କରି ଅପରାଜିତ ଥିଲେ ।
ହାଇଦରାବାଦକୁ ହରାଇଲା ମୁମ୍ବାଇ
ହାଇଦରାବାଦ, ୧୯ା୪ (ଏଜେନ୍ସି): ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଚଳିତ ଆଇପିଏଲ୍ର ୨୫ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୧୪ ରନ୍ରେ ପରାସ୍ତ କରିଛି । ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବା ସହ ଗୋଟିଏ ୱିକେଟ୍ ନେଇଥିବା କାମେରନ୍ ଗ୍ରୀନ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ୧୯୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଟିମ୍ ୧୯.୫ ଓଭର୍ରେ ୧୭୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୪୮ ରନ୍ କରିଥିଲେ । ବିପକ୍ଷ ବୋଲର୍ ଜାସନ୍ ବେହରେନ୍ଡର୍ଫ, ରିଲୀ ମେରେଡିଥ୍ ଓ ପୀୟୂଷ ଚାୱଲା ୨ ଲେଖାଏଁ ଏବଂ ଅର୍ଜୁନ ତେନ୍ଦୁଲକର ଓ ଗ୍ରୀନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।