ମାସେ ପରେ ବି ଅମୃତପାଲ
ପତ୍ତା ପାଉନି ପୁଲିସ୍
ଚଣ୍ଡୀଗଡ଼(ଏଜେନ୍ସି): ଖଲିସ୍ତାନ ସମର୍ଥକ ତଥା ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମୃତ ପାଲ ସିଂହ ଫେରାର ହେବାର ମାସେ ବିତିଛି । ହେଲେ ତାକୁ ଧରିପାରିନି ପଞ୍ଜାବ ପୁଲିସ । ମାର୍ଚ୍ଚ ୧୮ ତାରିଖରେ ଜଲନ୍ଧର ନିକଟରେ ପୁଲିସ୍ ଅମୃତପାଲକୁ ଧରିବାକୁ ଉଦ୍ରମ କରି ବିଫଳ ହୋଇଥିଲା । ସେବେଠାରୁ ପଞ୍ଜାବ ପୁଲିସ୍ ଓ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ତାକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି । ଇତିମଧ୍ୟରେ ତାକୁ ପଳାତକ ଘୋଷଣା କରାଯାଇଛି ଓ ତାର ମୁଖ୍ୟ ସହଯୋଗୀ ପପଲପ୍ରୀତ୍ ସିଂହ ଏବଂ ତାକୁ ଫେରାର କରାଇବାରେ ସହଯୋଗ କରିଥିବା ଜଣେ ଡ୍ରାଇଭର୍କୁ ଗିରଫ କରାଯାଇଛି । ତଥାପି ଅମୃତ ପାଲ ଧରାପଡ଼ିନାହିଁ । ଏହା ପଞ୍ଜାବ ପୁଲିସର ଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।
ଅମୃତପାଲର ଅଧିକାଂଶ ସହଯୋଗୀଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ରୁଜୁ କରାଯାଇଛି ।ଗିରଫ ସହଯୋଗୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଆସାମର ଦିବ୍ରୁଗଡ଼ ଜେଲ୍କୁ ପଠାଇ ଦିଆଯାଇଛି । ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମୃତପାଲ ଫେବ୍ରୁଆରୀ ୨୩ ରେ ଚର୍ଚ୍ଚାକୁ ଆସିଥିଲା । ୱାରିସ୍ ସଂଗଠନର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା । ତା’କୁ ଅମୃତପାଲ ସହଯୋଗୀମାନଙ୍କ ସହାୟତାରେ ଘଡାଇ ନେଇଥିଲା । ଥାନାରେ ୬୦୦ ପୁଲିସ ଉପସ୍ଥିତ ଥିଲେ ମଧ୍ୟ କେହି କିଛି କରି ନ ଥିଲେ । ଥାନା ଆକ୍ରମଣ ପରେ ସେ ଚର୍ଚ୍ଚାକୁ ଆସିଥିଲା । ମାର୍ଚ୍ଚ ୧୮ରେ ପଞ୍ଜାବ ପୁଲିସ୍ ତାକୁ ଧରିବା ପାଇଁ ଜଳନ୍ଧରରେ ଚଢ଼ଉ କରିଥିଲା ।