ରାଜ୍ୟ ମତ ଜରୁରୀ

ସମଲିଙ୍ଗୀ ବିବାହ: କେନ୍ଦ୍ରର ନୂଆ ସତ୍ୟପାଠ
ନୂଆଦିଲ୍ଲୀ, ୧୯ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିକୁ ନେଇ ସୁପ୍ରିମ୍କୋର୍ଟର ସମ୍ବିଧାନ ପୀଠରେ ବୁଧବାର ମଧ୍ୟ ଶୁଣାଣି ହୋଇଛି । ବିବାହ ଏକ ମୌଳିକ ପ୍ରସଙ୍ଗ ଯାହା ସମ୍ବିଧାନର ସମବର୍ତ୍ତୀ ସୂଚୀ (କନ୍କରେଣ୍ଟ୍ ଲିଷ୍ଟ୍) ଅନ୍ତର୍ଭୁକ୍ତ ହୋଇଥିବାରୁ ସବୁ ରାଜ୍ୟକୁ ଏହି ମାମଲାରେ ପକ୍ଷ କରାଯାଉ ବୋଲି କେନ୍ଦ୍ର ସରକାର ପୀଠ ସମକ୍ଷରେ କହିବାରୁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।
ସୁପ୍ରିମ୍କୋର୍ଟରେ ମଙ୍ଗଳବାର ଠାରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି । ମଙ୍ଗଳବାର କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କ ମତ ଲୋଡ଼ିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ୧୦ ଦିନ ଭିତରେ ଜବାବ ଦେବାକୁ କହିଛି । ଏହି ମାମଲା ଉପରେ କୌଣସି ନିଷ୍ପତ୍ତି ନିଆଗଲେ ବର୍ତ୍ତମାନର ସାମାଜିକ ରୀତିନୀତି, ପ୍ରଥା, ମୂଲ୍ୟବୋଧ, ମାନଦଣ୍ଡ, ରାଜ୍ୟର ନିୟମାବଳୀ ଉପରେ ତାହାର ସମ୍ଭାବ୍ୟ ପ୍ରଭାବ ଆକଳନ କରାଯିବା ଆବଶ୍ୟକ ବୋଲି ପତ୍ରରେ କୁହାଯାଇଛି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ସୁପ୍ରିମ୍କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରାଯାଇଛି । ସେଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପକ୍ଷ କରିବା ଲାଗି ନିବେଦନ କରାଯାଇଛି । ଏହି ମାମଲା ବିଧାୟିକା ପରିସରଭୁକ୍ତ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମତ ଜାଣିବା ଆବଶ୍ୟକ ବୋଲି ନୂଆ ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ମୁକୁଲ ରୋହତଗୀ କହିଛନ୍ତି, ଆମେ ଏକ କେନ୍ଦ୍ରୀୟ ଆଇନକୁ ଚାଲେଞ୍ଜ କରିବା ଲାଗି ଅଦାଲତକୁ ଆସିଛୁ । କେନ୍ଦ୍ର ସରକାର ପଠାଇଥିବା ପତ୍ର ଏ ମାମଲାରେ ପ୍ରାସଙ୍ଗିକ ନୁହେଁ । ନୋଟିସ୍ ୫ ମାସ ପୂର୍ବରୁ ପଠାଯାଇଥିଲା, ଅଥଚ କେନ୍ଦ୍ର ସରକାର କାଲି (ମଙ୍ଗଳବାର) ରାଜ୍ୟମାନଙ୍କୁ ଚିଠି ପଠାଇଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *