ସମଲିଙ୍ଗୀ ବିବାହ ଉପରେ ସୁପ୍ରିମ୍ ଶୁଣାଣି
ନୂଆଦିଲ୍ଲୀ, ୧୮ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ସମ୍ବନ୍ଧୀୟ ଏକାଧିକ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟ ସମ୍ବିଧାନ ବେଞ୍ଚ୍ରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି । ଆବେଦନକାରୀଙ୍କ ପକ୍ଷ ସମାନତା ଓ ସମ୍ମାନର ସହ ଜୀବନ ଜୀଇଁବାର ଅଧିକାର ଉପରେ ଗୁରୁତ୍ୱ ଦେଇ ଏପରି ବିବାହକୁ ମାନ୍ୟତା ମିଳୁ ବୋଲି ଦାବି କରିଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁଣାଣିକୁ ଦୃଢ ବିରୋଧ କରାଯାଇ କୁହାଯାଇଛି ଏ ବିଷୟ ଏପରି ନୁହେଁ ଯେ ୫ ଜଣ ବିଦ୍ୱାନ ବ୍ୟକ୍ତି ବସି ସମଗ୍ର ସମାଜ ବିଷୟରେ ଫଇସଲା କରିଦେବେ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଅନ୍ୟ ୪ ନ୍ୟାୟମୂର୍ତ୍ତି ସଞ୍ଜୟ କିଶନ କୌଲ, ଏସ୍ ରବୀନ୍ଦ୍ର ଭଟ, ପିଏସ୍ ନରସିହ୍ମା ଓ ହିମା କୋହଲିଙ୍କ ସମ୍ବିଧାନ ପୀଠରେ ଶୁଣାଣି ଆରମ୍ଭ ହେବାମାତ୍ରେ ସଲିସିଟର ଜେନେରାଲ୍
ତୁଷାର ମେହେଟ୍ଟା କେନ୍ଦ୍ରର ଆପତ୍ତି ଉପରେ ପ୍ରଥମେ ବିଚାର କରିବାକୁ କହିଥିଲେ । ପ୍ରଧାନ ବିଚାରପତି କ୍ଷୁବ୍ଧ ହୋଇ କହିଲେ, ମୁଁ ଇନ୍ଚାର୍ଜ, ମୁଁ ହିଁ ନିଷ୍ପତ୍ତି ନେବି । ଏହି ଅଦାଲତ କିପରି ଚାଲିବ ସେ ବିଷୟରେ କେହି ଆମକୁ କହିପାରିବେ ନାହିଁ ।
ଆବେଦନକାରୀଙ୍କୁ ବିରୋଧ କରୁଥିବା ଜମିୟତ ଉଲେମା ଏ ହିନ୍ଦ୍ର ଓକିଲ କପିଲ ସିବଲ ଏହି ମାମଲାରେ ରାଜ୍ୟମାନଙ୍କ ମତ ଲୋଡାଯିବା ଜରୁରୀ ବୋଲି କହିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତଗୀ, ଅଭିଶେକ ମନୁସିଂହଭି, ମେନକା ଗୁରୁସ୍ୱାମୀ ଓ କେବି ବିଶ୍ୱନାଥନ୍ ଦର୍ଶାଇଥିଲେ ଯେ ସମଲିଙ୍ଗୀ ଯୋଡି ଅନେକ ଆଇନଗତ ଅଧିକାରରୁ ବଞ୍ଚôତ ହେଉଛନ୍ତି । ଶୁଣାଣି ମଧ୍ୟରେ ଜଷ୍ଟିସ୍ କୌଲ କହିଥିଲେ, ଏହି ମାମଲା ସମ୍ବନ୍ଧୀୟ ତର୍କ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହେବା ଆବଶ୍ୟକ । ବୁଧବାର ମଧ୍ୟ ଶୁଣାଣି ଜାରି ରହିବ ।