ହାଇଦରାବାଦକୁ ୧୯୩ ବିଜୟ ଲକ୍ଷ୍ୟ

ଆଇପିଏଲ୍-୧୬ । ୨୫ତମ ମ୍ୟାଚ୍
ହାଇଦରାବାଦ, ୧୮ା୪ (ଏଜେନ୍ସି): କାମେରନ୍ ଗ୍ରୀନ୍ଙ୍କ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ର ୨୫ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୧୯୩ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ହାଇଦରାବାଦ ଟିମ୍ ୧୮ ଓଭର୍ରେ ୮ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଅବଦୁଲ ସମାଦ ୮ ଓ ଭୁବନେଶ୍ୱର କୁମାର କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।
୧୯୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଟିମ୍ ପାୱାରପ୍ଲେ ମଧ୍ୟରେ ଦୁଇ ୱିକେଟ୍ ହରାଇଥିଲା । ହାରୀ ବ୍ରୁକ୍ ମାତ୍ର ୯ ରନ୍ କରି ଜାସନ୍ ବେହରେନ୍ଡର୍ଫଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ୧୧ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ପରବର୍ତ୍ତୀ ବ୍ୟାଟର୍ ରାହୁଲ ତ୍ରିପାଠୀ (୭) ମଧ୍ୟ ଦୁଇ ଅଙ୍କ ଛୁଇଁ ନ ପାରି ବେହରେନ୍ଡର୍ଫଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୪୨/୨ ।
ହାଇଦରାବାଦ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ର ଚୂଡ଼ାନ୍ତ ଏକାଦଶରୁ ଉମରାନ୍ ମଲିକଙ୍କୁ ବାଦ୍ ଦିଆଯାଇଥିଲା । ଅନ୍ୟପଟେ, ମୁମ୍ବାଇ ଡୁଆନ୍ ଜାନ୍ସେନ୍ଙ୍କ ସ୍ଥାନରେ ଜାସନ୍ ବେହରେନ୍ଡର୍ଫଙ୍କୁ ସାମିଲ୍ କରିଥିଲା । ଅର୍ଜୁନ ତେନ୍ଦୁଲକର ଲଗାତାର ଦ୍ୱିତୀୟ ମ୍ୟାଚ୍ ଖେଳିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ କାମେରନ୍ ଗ୍ରୀନ୍ ସର୍ବାଧିକ ୬୪ ରନ୍ କରିଥିଲେ ।
ଅଧିନାୟକ ରୋହିତ ଶର୍ମା ଓ ଈଶାନ କିଶନ ଓପନିଂ ଯୋଡ଼ିରେ ୪୧ ରନ୍ର ଭାଗୀଦାରୀ କରିଥିଲେ । ଇତ୍ୟବସରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଆଇପିଏଲ୍ରେ ୬,୦୦୦ ରନ୍ ପୂରଣ କରିଛନ୍ତି । ରୋହିତଙ୍କ ପୂର୍ବରୁ ବିରାଟ କୋହଲି, ଶିଖର ଧାବନ୍ ଓ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ମଧ୍ୟ ଏହି ଉପଲବ୍ଧି ହାସଲ କରିସାରିଛନ୍ତି ।
ଟି. ନଟରାଜନ୍ ଓପନିଂ ଯୋଡ଼ିକୁ ଭାଙ୍ଗିଥିଲେ । ରୋହିତ ୨୮ ରନ୍ କରି ଏଡେନ୍ ମାର୍କରମ୍ଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ ଈଶାନ ଓ ନୂଆ ବ୍ୟାଟର୍ ଗ୍ରୀନ୍ ଦ୍ୱିତୀୟ ୱିକେଟ୍ ପାଇଁ ୪୬ ରନ୍ ଯୋଗ କରିଥିଲେ । ଈଶାନ ୩୮ ରନ୍ କରି ଜାନ୍ସେନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ପରବର୍ତ୍ତୀ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ମାତ୍ର ୭ ରନ୍ କରି ଜାନ୍ସେନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଗ୍ରୀନ୍ ଓ ନୂଆ ବ୍ୟାଟର୍ ତିଲକ ବର୍ମା ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ୫୬ (୨୮ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ । ତିଲକ ବ୍ୟକ୍ତିଗତ ୩୭ (୧୭ ବଲ୍ରୁ) ରନ୍ରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ ।
ଅନ୍ୟପଟେ, ଗ୍ରୀନ୍ଙ୍କ ଦୃଢ଼ ପ୍ରଦର୍ଶନ ଜାରି ରହିଥିଲା । ସେ ଟିମ୍ ଡେଭିଡ୍ଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୨୧ ବଲ୍ରୁ ୪୧ ରନ୍ ଯୋଗ କରି ଇନିଂସ୍କୁ ଏକ ଆହ୍ୱାନପୂର୍ଣ୍ଣ ସ୍ଥିତିରେ ପହଞ୍ଚାଇଥିଲେ । ଇତ୍ୟବସରେ ଗ୍ରୀନ୍ ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲ୍ଉ ଡେବୁ୍ୟ ସିଜନ୍ରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ।
ଡେଭିଡ୍ (୧୬) ଶେଷ ବଲ୍ରେ ରନ୍ଆଉଟ୍ ହୋଇଥିଲେ । ଗ୍ରୀନ୍ ୪୦ ବଲ୍ରୁ ୬୪ ରନ୍ କରି ଅପରାଜିତ ଥିଲେ, ଯେଉଁଥିରେ ୬ ଚୌକା ଓ ୨ ଛକା ରହିଥିଲା । ମୁମ୍ବାଇର ସବୁ ବୋଲର୍ଙ୍କ ଇକୋନୋମୀ ରେଟ୍ ୭.୭୫ ବା ଏହାଠାରୁ ଅଧିକ ଥିଲା । ଜାନ୍ସେନ୍ଙ୍କୁ ୨ ଏବଂ ଭୁବନେଶ୍ୱର ଓ ନଟରାଜନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *