କୋଟିଆ ସ୍କୁଲ୍ରୁ ବିଜୁଳି କାଟିଲା ଆନ୍ଧ୍ର
କୋରାପୁଟ, ୧୮ା୪(ଆପ୍ର): କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟ ଜିଲ୍ଲାର ଶେଷ ଗାଁ ତାଡିବାଲାସା ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟରେ ସୂର୍ଯ୍ୟାସ୍ତ ସହିତ ମାଡି ଆସୁଛି ଅନ୍ଧକାରର ରାଜୁତି । ସନ୍ଧ୍ୟା ସମୟରେ କେବଳ ଘଣ୍ଟେ ଦୁଇଘଣ୍ଟା ଆଲୁଅ ଦେଇ ସ୍କୁଲ୍ରେ ଲାଗିଥିବା ସୋଲାର ପ୍ରକଳ୍ପ ନୀରବ ହୋଇଯାଉଛି । ଫଳରେ ଛାତ୍ରାବାସର ଶହେ ଛାତ୍ରଛାତ୍ରୀ ଅନ୍ଧକାରରେ ରାତ୍ରିଯାପନ କରିବାକୁ ବାଧ୍ୟ ହେଉଛନ୍ତି ।
ତାଡିବାଲାସା ଗ୍ରାମକୁ ଆନ୍ଧ୍ର ସରକାର ବିଜୁଳି ଯୋଗାଇଛନ୍ତି, କିନ୍ତୁ ଓଡିଶା ସରକାରଙ୍କ ବିଜୁଳି ସଂଯୋଗର ତାର ଗାଁକୁ ପହଞ୍ଚି ପାରିନାହିଁ । ବିଦ୍ୟାଳୟଟି ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ସେଠାକୁ ବିଜୁଳି ସଂଯୋଗ ଦେବା ପାଇଁ ଆନ୍ଧ୍ର ରୋକଠୋକ ମନା କରିଦେଇଥିବା ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଭତ୍ରା ଜଣାଇଛନ୍ତି ।
ବିଦ୍ୟାଳୟ ପରି·ଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ନିଜ ଘର ପାଇଁ ବିଜୁଳି ସଂଯୋଗ ଆଣି ଆନ୍ଧ୍ର ସରକାରଙ୍କ ନିଷେଧାଜ୍ଞାକୁ ଖାତିର ନ କରି ବିଦ୍ୟାଳୟକୁ ବିଜୁଳି ସଂଯୋଗ କରିଥିଲେ । ଆନ୍ଧ୍ର ଅଧିକାରୀମାନେ ଏହା ଜାଣିପାରି ମାନବିକତାକୁ ଭୁଲିଯାଇ ବିଦ୍ୟାଳୟରୁ ବିଜୁଳି ସଂଯୋଗକୁ ଛିନ୍ନ କରିବା ସହ ସଭାପତି ଶ୍ରୀ ମାଝୀଙ୍କୁ ୧୦ ହଜାର ଟଙ୍କାର ଏକ ବିଲ ପଇଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
ଓଡିଶାର ବିଦ୍ୟାଳୟ ଓ ଆନ୍ଧ୍ରର ବିଜୁଳି ବିଭାଗ ମଧ୍ୟରେ ଏପରି ଛକାପଞ୍ଝା ·ଲିଥିବା ବେଳେ ଓଡିଶା ସରକାରଙ୍କ ତରଫରୁ ୨୦୧୮ ମସିହାରେ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ସମୟରେ ଯୋଗାଇ ଦିଆଯାଇଥିବା ସୌର ବିଦୁ୍ୟତ ପ୍ରକଳ୍ପର ବ୍ୟାଟେରୀ ମଧ୍ୟ ଦୁର୍ବଳ ହୋଇଯାଇଛି । ସେଥିରୁ କେବଳ ସୂର୍ଯ୍ୟାଲୋକ ପଡୁଥିବା ସମୟ ପର୍ଯ୍ୟନ୍ତ ପାଣି ଉଠା ମୋଟର, ବିଜୁଳିବତୀ, ଫ୍ୟାନ୍, ୱାଟର ଫିଲ୍ଟର ପ୍ରଭୃତି ·ଲୁଛି । ସୂର୍ଯ୍ୟାସ୍ତ ପରେ କେବଳ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ବ୍ୟାଟେରୀ ବ୍ୟାକ୍ଅପ୍ରେ ବତୀ ଜଳୁଛି । ରାତି ପ୍ରାୟ ଆଠଟା ବେଳକୁ ସମଗ୍ର ବିଦ୍ୟାଳୟ ଅନ୍ଧକାରରେ ବୁଡିଯାଉଛି ।
ଛାତ୍ରାବାସର ୱାର୍ଡେନ ସୁନୀତା କୁମାରୀ ଡାକୁଆ ଜଣାଇଛନ୍ତି, ରାତିରେ ପିଲାମାନେ ପଢି ପାରୁନାହାନ୍ତି । ରାତିରେ ମଧ୍ୟ ପାଣି ଉଠି ପାରୁ ନ ଥିବାରୁ ପିଲାମାନେ ରାତି ତମାମ ଶୌଚରୁ ବଞ୍ଚିତ ହେଉଛନ୍ତି ବୋଲି ଛାତ୍ରୀ ରେବିକା ହନ୍ତାଳ ଦୁଃଖ ପ୍ରକାଶ କରି କହିଛନ୍ତି । ଏଥି ସହିତ ବର୍ତ୍ତମାନ ଗ୍ରୀଷ୍ମର ଉତ୍ତପ୍ତ ରାତ୍ରିରେ ଶୋଇବା ମଧ୍ୟ ଏକ ବିରାଟ ସମସ୍ୟା ହୋଇଛି । ଓଡିଶା ସରକାର ତୁରନ୍ତ ଦୃଷ୍ଟି ଦେବା ପାଇଁ ଅଭିଭାବକ କରା ତୁଲା ଦାବି କରିଛନ୍ତି ।