ଏଣିକି ଧମକାଇ ପାରିବେନି ମାଫିଆ

ନୂଆଦିଲ୍ଲୀ (ଏଜେନ୍ସି): ଉତ୍ତର ପ୍ରଦେଶରେ ଏଣିକି କୌଣସି ମାଫିଆ କିମ୍ବା ଅପରାଧୀ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ । ଅପରାଧୀଙ୍କ ଆତଙ୍କରାଜ୍ ବନ୍ଦ ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଶନିବାର ଅତିକ ଅହମ୍ମଦ ଓ ତା’ ଭାଇ ଅଶରଫକୁ ପୁଲିସ୍ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ । ଏହାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାମ୍ନାକୁ ଆସିଛି ।
ମଙ୍ଗଳବାର ଲକ୍ଷ୍ନୌ ଓ ହର୍ଦୋଇ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏଣିକି କୌଣସି ପେଶାଦାର ଅପରାଧୀ କିମ୍ବା ମାଫିଆ ଫୋନରେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ । ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା । ଲୋକଙ୍କୁ ଭୟଭୀତ କରାଯାଉଥିଲା । ଏବେ ପୂର୍ବ ପରିସ୍ଥିତି ନାହିଁ । ଭୟଭୀତ ହେବାର କୌଣସି କାରଣ ନାହିଁ । ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ମାଫିଆମାନେ ଚିନ୍ତାରେ ପଡ଼ିଛନ୍ତି । ପୂର୍ବତନ ଏସ୍ପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା । କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି କି କର୍ଫୁ୍ୟ ଲାଗୁ କରିବାର ସ୍ଥିତି ଆସିିନି । ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଏବେ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି । ସରକାର ଆଇନଶୃଙ୍ଖଳା ବ୍ୟବସ୍ଥାରେ ଗ୍ୟାରେଣ୍ଟି ଦେଉଛନ୍ତି ।
ପ୍ରଥମେ ଉମେଶ ପାଲ, ପରେ ଅତିକଙ୍କୁ ହତ୍ୟା କରାଯିବା ନେଇ ବିରୋଧୀ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ମଧ୍ୟ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଏସବୁ ଘଟଣା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତ ସୃଷ୍ଟି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *