ଲୁ’ ଆଲର୍ଟ

୨୧ ଯାଏ ତାତିରୁ ତ୍ରାହି ନାହିଁ
୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା
୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବାରିପଦାରେ ପାରଦ ୪୪.୨ ଡିଗ୍ରୀ ଛୁଇଁଲା
୪ଠ୦ ଉପରେ ୨୨ ସହର
ନୂଆଦିଲ୍ଲୀ/ଭୁବନେଶ୍ୱର/ବାରିପଦା,୧୭ା୪(ବୁ୍ୟରୋ/ଆପ୍ର): ଗଙ୍ଗା ତଟବର୍ତ୍ତୀ ଇଲାକା ସଂଲଗ୍ନ ପଶ୍ଚିମବଙ୍ଗ ଓ ବିହାରରେ ଆସନ୍ତା ୪ ଦିନ ଧରି ଲୁ ବୋହିବ । ସେହିପରି ଓଡ଼ିଶା, ସିକ୍କିମ୍ ଓ ଝାରଖଣ୍ଡରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଅଛି ବୋଲି ପୂର୍ବାନୁମାନ ଜାରି କରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ନୂଆ ଆଲର୍ଟ ଜାରି କରିଛି ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି, ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଆହୁରି ୪ ଦିନ ଜାରି ରହିବ । ୨୧ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ସେ ପର୍ଯ୍ୟନ୍ତ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଅପରାହ୍ଣରେ କାଳବୈଶାଖୀ ସମ୍ଭାବନା ଥିଲେ ମଧ୍ୟ ତାତି କମିବ ନାହିଁ ।
ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ସୋମବାର ରାଜ୍ୟରେ ପାଗ ସାମାନ୍ୟ ବଦଳିଛି । ଅଧିକାଂଶ ଜିଲ୍ଲାରେ ତାତି କମିଥିଲେ ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ଲୋକେ ସନ୍ତୁଳି ହୋଇଛନ୍ତି । ବାରିପଦାର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଅନ୍ୟ ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବୌଦ୍ଧରେ ପାରଦ ୪୩.୫ ଡିଗ୍ରୀ ଛୁଇଁଥିବା ବେଳେ ନୂଆପଡାରେ ୪୩.୫, ଝାରସୁଗୁଡାରେ ୪୩.୪, ତାଳଚେରରେ ୪୩.୨, ସମ୍ବଲପୁରରେ ୪୩.୨, ଟିଟିଲାଗଡରେ ୪୩.୧, ଅନୁଗୁଳରେ ୪୩.୧, ବଲାଙ୍ଗିରରେ ୪୩, ସୁନ୍ଦରଗଡରେ ୪୨.୮, କଟକରେ ୪୧.୬, ନୟାଗଡ ଓ କେନ୍ଦୁଝରରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଥିଲା ୩୯.୯ ଡିଗ୍ରୀ ।
ବାରିପଦା ପୁଣି ରାଜ୍ୟର ତତଲା ସହର ହୋଇଛି । ମୁଣ୍ଡଫଟା ଖରାର ସହ ୪୪.୨ ଡିଗ୍ରୀ ତାପମାତ୍ରା ଯୋଗୁଁ ରାସ୍ତାଘାଟ ଶୂନ୍ଶାନ ହୋଇପଡିଥିଲା । ଗୁରୁବାର ୪୩.୫ ଡିଗ୍ରୀ ତାପମାତ୍ରା ସହ ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ତେବେ ସୋମବାରର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *