ଦିନକରେ ୨ଥର କମିଲା ଟଙ୍କା ମୂଲ୍ୟ
ମୁମ୍ବାଇ, ୧୭ା୪: ଗତ କିଛି ମାସ ହେଲା ଭାରତୀୟ ମୁଦ୍ରା (ଟଙ୍କା) ମୂଲ୍ୟରେ ହ୍ରାସ-ବୃଦ୍ଧି ଧାରା ଜାରି ରହିଛି । ସୋମବାର କିନ୍ତୁ ଆମେରିକା ଡଲାର ସାମ୍ନାରେ ଟଙ୍କା ମୂଲ୍ୟ ୨ଥର କମିଛି । ଟଙ୍କା ମୂଲ୍ୟ ୧୩ ପଇସା କମିବା ଫଳରେ ୧ ଡଲାରର ବିନିମୟ ମୂଲ୍ୟ ହୋଇଛି ୮୧ ଟଙ୍କା ୯୮ ପଇସା । ତେବେ ଏହି ବିନିମୟ ମୂଲ୍ୟ ଅସ୍ଥାୟୀ ବୋଲି କୁହାଯାଉଛି ।
ସେୟାର ମାର୍କେଟରେ ସପ୍ତାହର ପ୍ରଥମ କାରବାର ଦିନରେ ଡଲାର ତୁଳନାରେ ପ୍ରଥମେ ଟଙ୍କାର ବିନିମୟ ମୂଲ୍ୟ ୫ ପଇସା କମିଥିଲା । କ୍ଲୋଜିଂ ଟ୍ରେଡ୍ ବେଳକୁ କିଛି ଉନ୍ନତି ଘଟିବା ଆଶା କରାଯାଉଥିଲା, କିନ୍ତୁ ସେପରି ନ ହୋଇ ଆହୁରି ୮ ପଇସା କମିଗଲା । ଗୋଟିଏ ଦିନରେ ଟଙ୍କା ମୂଲ୍ୟ ୨ଥର କମିବାର ପ୍ରଧାନ କାରଣ ସୋମବାର ଠାରୁ ଭାରତ ଗସ୍ତରେ ଆସିଥିବା ରୁଷୀୟ ଉପପ୍ରଧାନମନ୍ତ୍ରୀ ଡେନିସ୍ ମନ୍ତୁରୋବଙ୍କ ଏକ ବୟାନ । ଡେନିସ୍ କହିଛନ୍ତି ଭାରତ ଓ ରୁଷ୍ ଭିତରେ ବାଣିଜି୍ୟକ ଅସନ୍ତୁଳନ ଯୋଗୁଁ ଭାରତୀୟ ମୁଦ୍ରା ମାଧ୍ୟମରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ଭବ ହେଉନାହିଁ । ଡେନିସ୍ ଏହାର ସମାଧାନ ପାଇଁ ଅଧିକ ବାଣିଜ୍ୟ କାରବାର ପାଇଁ ପରାମର୍ଶ ଦେଇଛନ୍ତି ।
ସୋମବାର ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାରରେ ଗତ ୯ ଦିନର ବୃଦ୍ଧିରେ ଲାଗିଛି ବ୍ରେକ୍ । ସେନ୍ସେକ୍ସ ୫୨୦.୨୫ ପଏଣ୍ଟ କମି ୫୯,୯୧୦.୭୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି । ସେହିପରି ନିଫ୍ଟୀ ୧୨୧.୧୫ ପଏଣ୍ଟ କମି ୧୭,୭୦୬.୮୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି । ଆଇଟି ସେକ୍ଟରର ସେୟାର ଦ୍ରୁତବେଗରେ ବିକ୍ରି ହେବା କାରଣରୁ ଏପରି ଘଟିଛି । ଇନ୍ଫୋସିସ୍ ସେୟାର ଇଣ୍ଟ୍ରାଡେରେ ୧୧ ପ୍ରତିଶତ ପର୍ଯ୍ୟନ୍ତ କମିଥିଲା ଏବଂ ଶେଷରେ ୯.୩ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଥିଲା ।