କେଜରୀଙ୍କୁ ୯ ଘଣ୍ଟା ଜେରା

ନୂଆଦିଲ୍ଲୀ, ୧୬ା୪: ଅବକାରୀ ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ରବିବାର ୯ ଘଣ୍ଟା ଜେରା କରିଛି । ପୂର୍ବାହ୍ଣ ୧୧ଟା ବେଳେ କେଜରୀୱାଲ୍ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ଶାନ୍ତିଭଙ୍ଗ ଆଶଙ୍କାରେ ସିବିଆଇ ମୁଖ୍ୟାଳୟ ବାହାରେ ପ୍ରାୟ ଏକ ହଜାର ପୁଲିସ ମୁତୟନ କରାଯାଇଥିଲା । ସିଆର୍ପିଏଫ୍ ଯବାନମାନେ ମଧ୍ୟ ମୁତୟନ ଥିଲେ । ରାତି ପ୍ରାୟ ସାଢ଼େ ୮ଟା ବେଳେ ଜେରା ସରିଲା ବୋଲି ସିବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । କେଜରିୱାଲ୍ ସିବିଆଇ କାର୍ଯ୍ୟାଳୟରୁ ନିଜର ବାସଭବନ ଅଭିମୁଖେ ଫେରିଯିବା ସହିତ ତାଙ୍କୁ ଗିରଫ କରାଯିବା ଆଶଙ୍କା ଟଳିଛି । ତାଙ୍କୁ ମୁଖ୍ୟତଃ ଅବକାରୀ ନୀତି ସ୍କାମ୍ ସମ୍ବନ୍ଧୀୟ ଫାଇଲ୍ ଗାଏବ ହେବା ସମ୍ପର୍କରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରାଯାଇଛି ।
ସିବିଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ପୂର୍ବରୁ ସେ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଡାକିଥିଲେ । ସେହିପରି ୫ ମିନିଟ୍ ୨୭ ସେକେଣ୍ଡର ଭିଡିଓ ସେ ଜାରି କରି ସେଥିରେ କହିଥିଲେ, ମୁଁ କିଛି ସମୟ ପରେ ସିବିଆଇ ମୁଖ୍ୟାଳୟକୁ ଯିବି । କିଛି ଭୁଲ୍ ତ କରିନି, ଲୁଚାଇବି କ’ଣ? ଜେରା ପରେ କେଜରିୱାଲଙ୍କୁ କାଳେ ଗିରଫ କରାଯିବ, ସେହି ଆଶଙ୍କାରେ ଆପ୍ର ବରିଷ୍ଠ ନେତାଥା ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ପାର୍ଟି ମୁଖ୍ୟାଳୟରେ ସନ୍ଧ୍ୟା ୫ଟା ବେଳେ ସଂଗଠନର ପଦାଧିକାରୀଙ୍କ ଜରୁରୀ ବୈଠକ ଡାକିଥିଲେ । କେଜରିୱାଲଙ୍କୁ ସିବିଆଇ ଜେରା ପ୍ରତିବାଦରେ ଦିଲ୍ଲୀରେ ବହୁ ଆପ୍ ନେତା ଓ କର୍ମୀ ବିକ୍ଷୋଭ କରିଛନ୍ତି । ପୁଲିସ୍ ଆପ୍ ନେତା ସଞ୍ଜୟ ସିଂହ, ରାଘବ ଚଢ଼ା, ସୌରଭ ଭରଦ୍ୱାଜ, ଆତିଶୀ, କୈଳାଶ ଗହଲୋତ, ଆଦିଲ ଅହମଦ ଖାନ୍, ପଙ୍କଜ ଗୁପ୍ତା ଏବଂ ପଞ୍ଜାବ ସରକାରଙ୍କ କେତେକ ମନ୍ତ୍ରୀଙ୍କୁ ଅଟକ ରଖିଛି । ଦିଲ୍ଲୀର ୩୨ ଆପ୍ ବିଧାୟକ ଓ ପଞ୍ଜାବର ୨୦ ବିଧାୟକଙ୍କୁ ଅଟକ ରଖାଯାଇଛି ବୋଲି ଗୋପାଳ ରାୟ କହିଛନ୍ତି । ଆର୍ଚବିଶପ ରୋଡ୍ରେ ଧାରଣାରେ ସାମିଲ ହୋଇଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦଳର ନେତାମାନଙ୍କୁ ପୁଲିସ ଗିରଫ କରିନେବା ପୂର୍ବରୁ ପଳାଇ ଯାଇଥିଲେ । ଆପ୍ ନେତାମାନେ ବିକ୍ଷୋଭ ଓ ଧାରଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଖୁବ୍ ନାରାବାଜି କରିଥିଲେ । ରାଘବ ଚଢ଼ା ବିଜେପି ସରକାରର ତୀବ୍ର ସମାଲୋଚନା କରି କହିଥିଲେ ବିଜେପି ଏବେ କେଜରିୱାଲ ଫୋବିୟାରେ ପୀଡ଼ିତ । ପର୍ଯ୍ୟବେକ୍ଷକମାନଙ୍କ ମତରେ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ କେଜରିୱାଲଙ୍କୁ ପରେ ଯଦି ଜେଲ୍ ଯିବାକୁ ପଡ଼େ, ସେ ସ୍ଥିତିରେ ଦିଲ୍ଲୀ ରାଜନୀତି ଗଭୀର ଭାବେ ପ୍ରଭାବିତ ହେବ । ଦଳର ସବୁଠାରୁ ବିଶ୍ୱସନୀୟ ନେତା କେଜରିୱାଲଙ୍କ ନାମରେ କଳଙ୍କ ଲାଗିଲେ ତାଙ୍କ ଭାବମୂର୍ତ୍ତି ପୂରାପୂରି ନଷ୍ଟ ହେବା ସହ ତାଙ୍କ ରାଜନୈତିକ ଉଚ୍ଚାକାଂକ୍ଷାକୁ ସାଂଘାତିକ ଝଟ୍କା ମଧ୍ୟ ଲାଗିବ । ଦିଲ୍ଲୀରେ ଆପ୍ ଦୁର୍ବଳ ହୋଇପଡିବ ଏବଂ ବିଜେପି ଉଠାଇବ ଫାଇଦା । ସେହିପରି ୨୦୨୪ ଲୋକସଭା ନିର୍ବାଚନ ପାଇଁ କେଜରିୱାଲଙ୍କ ଏକ ବଡ ବିରୋଧୀ ମେଣ୍ଟ ଗଠନ ଉଦ୍ୟମ ଭଣ୍ଡୁର ହୋଇଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *