ମୁମ୍ବାଇର ଦ୍ୱିତୀୟ ବିଜୟ
ଆଇପିଏଲ୍-୨୦୧୬ । ୨୨ତମ ମ୍ୟାଚ୍
ଦ୍ଭ ଭେଙ୍କଟେଶ ଆୟର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଦ୍ଭ ୫ ୱିକେଟ୍ରେ ହାରିଲା କୋଲକାତା
ମୁମ୍ବାଇ, ୧୬ା୪ (ଏଜେନ୍ସି): ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ରେ ୱାଙ୍ଖେଡ଼େ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସର ବିଜୟ ପ୍ରତୀକ୍ଷାକୁ ବଢ଼ାଇ ଦେଇଛି । ମୁମ୍ବାଇ ଚଳିତ ସିଜନ୍ର ତୃତୀୟ ସୁପର୍ ସଣ୍ଡେର ପ୍ରଥମ ମ୍ୟାଚ୍ରେ କୋଲକାତାକୁ ୫ ୱିକେଟ୍ରେ ମାତ୍ ଦେଇଛି । ଟିମ୍ର ଏହା ଚାରି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ କୋଲକାତାର ପାଞ୍ଚ ମ୍ୟାଚ୍ରୁ ତୃତୀୟ ପରାଜୟ ।
କୋଲକାତା ବିପକ୍ଷରେ ମୁମ୍ବାଇର ଏହା ୨୩ତମ ବିଜୟ । ଉଭୟ ଟିମ୍ ମଧ୍ୟରେ ଏ ଯାବତ୍ ୩୨ ମ୍ୟାଚ୍ ଖେଳାଯାଇଛି । ଶତକୀୟ ଇନିଂସ୍ ଖେଳିଥିବା କୋଲକାତାର ଭେଙ୍କଟେଶ ଆୟର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଥିଲେ ।
ମୁମ୍ବାଇ ଟିମ୍ ୧୭.୪ ଓଭର୍ରେ ୫ ୱିକେଟ୍ ହରାଇ ଆବଶ୍ୟକ ୧୮୬ ରନ୍ ସଂଗ୍ରହ କରିଥିଲା । ରୋହିତ ଶର୍ମା ଓ ଈଶାନ କିଶନଙ୍କ ଯୋଡ଼ି ଓପନିଂ ୱିକେଟ୍ରେ ୬୫ (୨୯ ବଲ୍ରୁ) ରନ୍ର ଦ୍ରୁତ ଭାଗୀଦାରୀ କରିଥିଲେ । ରୋହିତ ୨୦ ରନ୍ କରି ସୁୟାଶଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଈଶାନ ମାତ୍ର ୨୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ଯୋଡ଼ି ତୃତୀୟ ୱିକେଟ୍ ପାଇଁ ୬୦ ରନ୍ର ଭାଗୀଦାରୀ କରି ବିଜୟକୁ ସହଜ କରିଦେଇଥିଲେ । ତିଲକ ୩୦ ରନ୍ କରି ସୁୟାଶଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ସୂର୍ଯ୍ୟକୁମାର ୨୫ ବଲ୍ରୁ ୪୩ ରନ୍ର ଉପଯୋଗୀ ଇନିଂସ୍ ଖେଳିଥିଲେ । କ୍ରମାଗତ ତିନି ମ୍ୟାଚ୍ରେ ବିଫଳ ହେବା ପରେ ସେ ଫର୍ମକୁ ଫେରିଥିଲେ । ଶାର୍ଦ୍ଦୂଳ ଠାକୁର ତାଙ୍କ ୱିକେଟ୍ ନେଇଥିଲେ । ନେହାଲ ୱାଧେରା (୬)ଙ୍କୁ ଲୋକୀ ଫର୍ଗୁସନ୍ ପାଭିଲିଅନ୍ ପଠାଇଥିଲେ । ଟିମ୍ ଡେଭିଡ୍ ୨୪ ଓ କାମେରନ୍ ଗ୍ରୀନ୍ ୧ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ନିଜ ହୋମ୍ ଗ୍ରାଉଣ୍ଡରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡେବୁ୍ୟ କରିଥିଲେ । ସେ ୨୪ ନମ୍ବର ଜର୍ସି ପିନ୍ଧି ଆସିଥିଲେ । ଏପ୍ରିଲ୍ ୨୪ରେ ସଚିନଙ୍କ ଜନ୍ମଦିନ । ଅର୍ଜୁନ ନିଜ ଜର୍ସି ନମ୍ବର ପିତାଙ୍କୁ ସମର୍ପିତ କରିଛନ୍ତି ।
ମାର୍କୋ ଜାନ୍ସେନ୍ଙ୍କ ଜାଆଁଳା ଭାଇ ଡୁଆନ୍ ଜେନ୍ସନ୍ ମଧ୍ୟ ଡେବୁ୍ୟ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟିମ୍ର ନେତୃତ୍ୱ ନେଇଥିଲେ । ନିୟମିତ ଅଧିନାୟକ ରୋହିତ ଶର୍ମା ଇମ୍ପାକ୍ଟ ଖେଳାଳି ଭାବେ ବ୍ୟାଟିଂ କରିବାକୁ ଆସିଥିଲେ ।
କୋଲକାତା ଟିମ୍ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା । ଭେଙ୍କଟେଶ ୫୧ ବଲ୍ରୁ ୬ ଚୌକା ଓ ୯ ଛକା ସହାୟତାରେ ୧୦୪ ରନ୍ର ଇନିଂସ୍ ଖେଳିଥିଲେ । ଚଳିତ ସିଜନ୍ର ଏହା ଦ୍ୱିତୀୟ ଶତକ ଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଆନେ୍ଦ୍ର ରସେଲ୍ ଅପରାଜିତ ୨୧, ରିଙ୍କୁ ସିଂହ ୧୮, ଠାକୁର ୧୩, ରହମନୁଲ୍ଲା ଗୁରବାଜ୍ ୮, ଅଧିନାୟକ ନୀତୀଶ ରାଣା ୫, ସୁନୀଲ୍ ନରେନ୍ ୨ ଓ ନାରାୟଣ ଜଗଦୀଶନ୍ ବିନା ସ୍କୋର୍ରେ ପାଭିଲିଅନ୍ ଫେରିଥିଲେ ।
ବିପକ୍ଷ ବୋଲର୍ ରିତିକ୍ ଶୋକୀନ ୨ଟି ଏବଂ ଗ୍ରୀନ୍, ଜାନ୍ସେନ୍, ପୀୟୂଷ ଚାୱଲା ଓ ରିଲୀ ମେରେଡିଥ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅର୍ଜୁନ ୨ ଓଭର୍ ବୋଲିଂ କରି ୧୭ ରନ୍ ଦେଇଥିଲେ । ତାଙ୍କୁ କୌଣସି ୱିକେଟ୍ ମିଳି ନ ଥିଲା ।