ମଦ ନେଲା ୨୨ ଜୀବନ
ପୂର୍ବ ଚମ୍ପାରଣ, ୧୫ା୪: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରର ମୋତିହାରୀ ଜିଲ୍ଲାରେ ବିଷାକ୍ତ ଦେଶୀମଦ ପିଇ ୨୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୪୦ ଜଣ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତଙ୍କ ବୟସ ୧୯ରୁ ୪୮ ବର୍ଷ ଭିତରେ । ସେମାନଙ୍କ ପରିବାରବର୍ଗ କହିଛନ୍ତି ବିଲରେ ମଦ ପାର୍ଟି ହେଉଥିଲା । ସେଠାରେ ଅପମିଶ୍ରିତ ମଦ ପିଇବା କାରଣରୁ ଏଭଳି ଘଟିଛି । କିନ୍ତୁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବିଷାକ୍ତ ଖାଦ୍ୟ ଓ ଡାଇରିଆ କାରଣରୁ ୬ ଜଣ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ଏହି ଘଟଣା ନେଇ ପୁଲିସ୍ ୭ ଜଣ ଲୋକଙ୍କ ଅଟକ ରଖି ଜେରା କରୁଛି । ମିଳିଥିବା ସୂଚନା ଅନୁଯାୟୀ ମୋତିହାରୀର ତୁରକୌଲିଆ, ହରସିଦ୍ଧି ଓ ପାହାଡ଼ପୁର ଥାନା ଇଲାକାରେ ଶୁକ୍ରବାର ୨ଜଣଙ୍କ ମୃତୁ୍ୟହୋଇଥିଲା । ଦୁହେଁ ବିଷାକ୍ତ ମଦ ପିଇଥିଲେ । ପ୍ରଶାସନ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି । ପୁଣି ଶନିବାର ସୁଦ୍ଧା ୨୨ ଲୋକଙ୍କ ମୃତୁ୍ୟ ଖବର ଆସିଛି । ମୋତିହାରୀ ସଦର ହସ୍ପିଟାଲରେ ୫ ଜଣଙ୍କୁ ଭର୍ତ୍ତି କରାଯାଇଥିଲା । ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମୁଜଫରପୁରକୁ ରେଫର କରାଯାଇଛି ।