ବାଙ୍ଗାଲୋରର ଦ୍ୱିତୀୟ ବିଜୟ
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ – ୧୬
ବେଙ୍ଗାଲୁରୁ, ୧୫ା୪ (ଏଜେନ୍ସି): ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ଚଳିତ ଆଇପିଏଲ୍ର ୨୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍ରେ ପରାସ୍ତ କରିଛି । ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବା ସହ ତିନି କ୍ୟାଚ୍ ଧରିଥିବା ବାଙ୍ଗାଲୋରର ବିରାଟ କୋହଲି ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ବାଙ୍ଗାଲୋରର ଏହା ଚାରି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ, ଅନ୍ୟପଟେ ଦିଲ୍ଲୀର କ୍ରମାଗତ ପଞ୍ଚମ ପରାଜୟ ।
୧୭୫ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ଦିଲ୍ଲୀ ଟିମ୍ ଧାର୍ଯ୍ୟ ଓଭର୍ରେ ୯ ୱିକେଟ୍ ହରାଇ ୧୫୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୫୦ (୩୮ ବଲ୍ରୁ) ରନ୍ କରିଥିଲେ । ନବାଗତ ବିଜୟକୁମାର ଭିସାକ୍ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ ଏବଂ ୱେନ୍ ପର୍ନେଲ୍, ୱାନିନ୍ଦୁ ହସରଙ୍ଗା ଡି’ ସିଲ୍ଭା ଓ ହର୍ଷଲ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨ ରନ୍ରେ ୩ ୱିକେଟ୍ ହରାଇଥିଲା । ପୃଥ୍ୱୀ ଶ’ ଖାତା ଖୋଲି ନ ପାରି ରନ୍ଆଉଟ୍ ହୋଇଥିବା ବେଳେ ମିଚେଲ୍ ମାର୍ଶ ବିନା ସ୍କୋର୍ରେ ପର୍ନେଲ୍ଙ୍କ ବଲ୍ରେ ଓ ଯଶ ଧୂଲ ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେଙ୍କ ଯୋଡ଼ି ମଧ୍ୟ ବେଶୀ ବାଟ ଯାଇ ନ ଥିଲା । ୱାର୍ଣ୍ଣର (୧୯)ଙ୍କୁ ଆଉଟ୍ କରି ଭିସାକ୍ ପ୍ରଥମ ବ୍ୟକ୍ତିଗତ ସଫଳତା ପାଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଅଭିଷେକ ପରେଲ୍ (୫) ସଅଳ ଆଉଟ୍ ହୋଇଥିଲେ । ହର୍ଷଲଙ୍କୁ ତାଙ୍କ ୱିକେଟ୍ ମିଳିଥିଲା ।
୫୩ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଏହାପରେ ମନୀଷ ଓ ନୂଆ ବ୍ୟାଟର୍ ଅକ୍ଷର ପଟେଲ୍ଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୨୭ ରନ୍ର ଭାଗୀଦାରୀ ହୋଇଥିଲା । ଅକ୍ଷର ୨୧ ରନ୍ କରି ଭିଶାକ୍ଙ୍କ ଦ୍ୱିତୀୟ ଶିକାର ହୋଇଥିବା ବେଳେ ମନୀଷ (୫୦) ଅର୍ଦ୍ଧଶତକ ପୂରଣର ପରବର୍ତ୍ତୀ ବଲ୍ରେ ହସରଙ୍ଗାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଲଳିତ ଯାଦବ ୪ ଓ ଅମନ ହାକିମ୍ ଖାନ୍ ୧୮ ରନ୍ କରି ଯଥାକ୍ରମେ ଭିଶାକ୍ ଓ ସିରାଜଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଆନରିଚ୍ ନୋର୍ତଜେ ୨୩ ଓ କୁଲଦୀପ ଯାଦବ ୭ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ଟିମ୍ରେ ରୋଭମାନ୍ ପୱେଲ୍ଙ୍କ ସ୍ଥାନରେ ମିଚେଲ୍ ମାର୍ଶ ପ୍ରତ୍ୟାବର୍ତ୍ତନ କରିଥିଲେ । ବାଙ୍ଗାଲୋର ଟିମ୍ରେ ବିଜୟକୁମାର ଭିଶାକ୍ଙ୍କୁ ଡେବୁ୍ୟ କ୍ୟାପ୍ ଦିଆଯାଇଥିଲା । ଟିମ୍ରେ ଡେଭିଡ୍ ୱିଲୀଙ୍କ ସ୍ଥାନରେ ୱାନିନ୍ଦୁ ହସରଙ୍ଗାଙ୍କୁ ସୁଯୋଗ ମିଳିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଟିମ୍ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । କୋହଲି ୩୪ ବଲ୍ରୁ ୬ ଚୌକା ଓ ୧ ଛକା ସହାୟତାରେ ୫୦ ରନ୍ କରିଥିଲେ । ଆଇପିଏଲ୍ରେ ଏହା ତାଙ୍କର ୪୭ତମ ଏବଂ ଚଳିତ ସିଜନ୍ରେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ।
କୋହଲି ଓ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ଙ୍କ ଯୋଡ଼ି ଓପନିଂ ୱିକେଟ୍ରେ ୪୨ ରନ୍ ଯୋଗ କରିଥିଲେ । ଫାଫ୍ ୨୨ ରନ୍ କରି ମାର୍ଶଙ୍କ ବଲ୍ରେ ଆଉଟ୍ ହେବା ପରେ କୋହଲି ନୂଆ ବ୍ୟାଟର୍ ମହିପାଲ୍ ଲୋମରୋରଙ୍କ ସହ ମିଶି ୪୭ ରନ୍ର ଭାଗୀଦାରୀ କରିଥିଲେ । କୋହଲିଙ୍କ ୱିକେଟ୍ ଲଳିତଙ୍କୁ ମିଳିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମହିପାଲ୍ ୨୬, ଗ୍ଲେନ୍ ମ୍ୟାକ୍ସୱେଲ୍ ୨୪, ହର୍ଷଲ ୬ ଓ ଦିନେଶ କାର୍ତ୍ତିକ ରନ୍ କରି ପାଭିଲିଅନ୍ ଫେରିଥିବା ବେଳେ ଶାହବାଜ ଅହମଦ ୨୦ ଓ ଅନୁଜ ରାୱତ ୧୫ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ମାର୍ଶ ଓ କୁଲଦୀପ ଯାଦବ ୨ ଲେଖାଏଁ ଏବଂ ଅକ୍ଷର ଓ ଲଳିତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।