ଟିକେଟ୍ ନେଲେ ଦୀପାଳି
ଭୁବନେଶ୍ୱର, ୧୫ା୪(ବୁ୍ୟରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବହୁ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିବ । ଟିକେଟ୍ ନେବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହିତ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ୱିତ କରାଇବି ବୋଲି କହିଛନ୍ତି ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ । ଏପ୍ରିଲ ୧୮ ତାରିଖରେ ଦୀପାଳି ଦାସ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ । ତା’ପୂର୍ବରୁ ଶନିବାର ପୂର୍ବାହ୍ଣରେ ଦଳୀୟ ଟିକେଟ୍ ନେବା ପାଇଁ ସୁଶ୍ରୀ ଦାସ ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ଭାଇ ବିଶାଳ ଦାସଙ୍କ ସହ
ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିବା ସହିତ ନବୀନ ନିବାସରୁ ଟିକେଟ୍ ନେଇ ଫେରିଥିିଲେ । ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁଶ୍ରୀ ଦାସ ବିଜୟ ନେଇ ସେ ସମ୍ପୂର୍ଣ୍ଣ ଆଶାବାଦୀ ବୋଲି କହିଥିଲେ । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି ସେମାନେ ଅନ୍ଧ । ଝାରସୁଗଡ଼ାରେ ବିମାନବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି ।
ଝାରସୁଗୁଡ଼ାର ସବୁ ବିକାଶ ପାଇଁ ସୁଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଗ୍ରାଉଣ୍ଡରେ ଲାଗିପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ଦଳ ସ୍ୱତନ୍ତ୍ର ରଣନୀତି କରିଛି ।