ଓଡ଼ିଆରେ ସିଏପିଏଫ୍ ପରୀକ୍ଷା
ନୂଆଦିଲ୍ଲୀ, ୧୫ା୪: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ (ସିଏପିଏଫ୍) କନ୍ଷ୍ଟେବଲ ପ୍ରବେଶିକା ପରୀକ୍ଷା ଏଣିକି ଓଡ଼ିଆ ସମେତ ୧୩ ଆଞ୍ଚଳିକ ଭାଷାରେ ହେବ । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏ ପର୍ଯ୍ୟନ୍ତ କେବଳ ହିନ୍ଦୀ ଓ ଇଂରାଜୀରେ ଏହି ପରୀକ୍ଷା ହେଉଥିଲା ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଦେ୍ର୍ଦଶକ୍ରମେ ସିଏପିଏଫ୍ର ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି (ସଶସ୍ତ୍ର ସୀମା ବାହିନୀ) ଓ ଏନ୍ଏସ୍ଜି (ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ)ର କନ୍ଷ୍ଟେବଲ୍ ପଦ ପାଇଁ ଆଶାୟୀମାନେ ନିଜ ନିଜ ମାତୃଭାଷା ଯଥା ଓଡ଼ିଆ, ଅସମିଆ, ବଙ୍ଗଲା, ଗୁଜରାଟୀ, ମରାଠୀ, ମଲୟାଲମ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀରେ ପରୀକ୍ଷା ଦେଇପାରିବେ । ୨୦୨୪ ଜାନୁଆରୀ ପହିଲାରୁ ପରୀକ୍ଷା କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ କିଛିଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ସିଆର୍ପିଏଫ୍ରେ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଡିଜିଟାଲ ପରୀକ୍ଷାରେ ତାମିଲ ଭାଷା ଅନ୍ତର୍ଭୁକ୍ତ ହୋଇ ନ ଥିବାକୁ ବିରୋଧ କରିଥିଲେ । କେବଳ ହିନ୍ଦୀ ଓ ଇଂରାଜୀ ମାଧ୍ୟମରେ ପରୀକ୍ଷା ବାଧ୍ୟତାମୂଳକ କରାଯିବା ଦ୍ୱାରା ତାମିଲନାଡୁର ଅନେକ ପ୍ରାର୍ଥୀ ସେଥିରୁ ବଞ୍ଚôତ ହେଉଛନ୍ତି । ଏହାଦ୍ୱାରା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ ହେଉଛି । ଏଭଳି ବିବାଦ ଉଠିବା ପରେ ଗୃହ ମନ୍ତ୍ରଣାଳୟ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି ।