କେଜରୀୱାଲଙ୍କୁ ସିବିଆଇ ସମନ୍

ନୂଆଦିଲ୍ଲୀ, ୧୪ା୪: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲଙ୍କୁ ସିବିଆଇ ଜେରା କରିବ । ଆସନ୍ତା ୧୬ ତାରିଖ ଦିନ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ସମନ ଜାରି କରାଯାଇଛି । ରବିବାର ପୂର୍ବାହ୍ଣ ୧୧ଟାବେଳେ ସେ ହାଜର ହେବେ । କେଜରୀୱାଲଙ୍କୁ ସିବିଆଇ ସମନ କରିଥିବା ଜଣାପଡିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆପ୍ ପକ୍ଷରୁ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ନିଜେ କେଜରୀୱାଲ ପରୋକ୍ଷରେ ବିଜେପି ଉପରେ ବିଷୋଦ୍ଗାର କରିଥିବାବେଳେ ଦଳର ଅନ୍ୟ ନେତାମାନେ ଅନୁରୂପ ପ୍ରତିକ୍ରିୟା ଦେଇଛନ୍ତି । କେଜରୀୱାଲ କହିଛନ୍ତି, ଅନେକ ରାଷ୍ଟ୍ରବିରୋଧୀ ଶକ୍ତି ଅଛନ୍ତି ଯେଉଁମାନେ ଦେଶ ଆଗେଇବା, ଗରିବ ପିଲାମାନଙ୍କୁ ଭଲ ଶିକ୍ଷା ମିଳିବା ଚାହାନ୍ତି ନାହିଁ । ଏହି ଲୋକମାନେ ମିଶି ମନୀଷ ସିସୋଦିୟାଙ୍କୁ ଜେଲ୍ ପଠାଇ ଦେଇଛନ୍ତି । ବରିଷ୍ଠ ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, କେଜରୀୱାଲଙ୍କ ଲଢେଇ ସିବିଆଇ ସମନରେ ଅଟକିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ଆମେ କହିବାକୁ ଚାହୁଁ ଯେ ତାଙ୍କ ସରକାର ତାଳରୁ ତଳିପା ଯାଏ ଦୁର୍ନୀତିରେ ବୁଡି ରହିଛି । ଏପରି ସ୍ଥଳେ କେଜରୀୱାଲଙ୍କୁ ଗିରଫ କରି ଜେଲ୍କୁ ପଠାଇବା ତଥା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏଭଳି ଷଡଯନ୍ତ୍ର କରିଛନ୍ତି । ଅତ୍ୟାଚାର ନିଶ୍ଚିତଭାବେ ଶେଷ ହେବ ।
ଉଲ୍ଲେଖଯୋଗ୍ୟ ଯେ ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଗିରଫ ହୋଇ ଏବେ ତିହାଡ ଜେଲ୍ରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *