କର୍ଣ୍ଣାଟକରେ ଏନ୍ସିପିର ଏଣ୍ଟ୍ରି
କଂଗ୍ରେସକୁ ପାୱାର ଝଟ୍କା
ବେଙ୍ଗାଲୁରୁ, ୧୪ା୪: ବିରୋଧୀ ଏକତା ନାମରେ କଂଗ୍ରେସ ନେତାମାନଙ୍କ ସହ ବୈଠକରେ ଯୋଗଦେବାର ଠିକ୍ ଦିନକ ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ନେତା ଶରଦ ପାୱାର ଆଗାମୀ କର୍ଣ୍ଣାଟକ ନିର୍ବାଚନରେ ୪୦-୪୫ ଆସନରେ ପ୍ରାର୍ଥୀ ଦେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭା ପାଇଁ ତ୍ରିକୋଣୀୟ ମୁକାବିଲା ହେବା ଆକଳନ କରାଯାଇଥିଲା । ଏବେ ଏନ୍ସିପିର ଏଣ୍ଟ୍ରି ଫଳରେ ସରକାର ଗଢିବାକୁ ଆଶାୟୀ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି । ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ ହେବ । ଶରଦ ପାୱାରଙ୍କ ଏଭଳି ନିଷ୍ପତ୍ତି ବିରୋଧୀ ଏକତା ପାଇଁ ମଧ୍ୟ କ୍ଷତିକାରକ ହେବ । ଦଳୀୟ ସୂତ୍ର ଅନୁଯାୟୀ, ପାୱାର ତାଙ୍କ ଦଳକୁ ପୁନର୍ବାର ରାଷ୍ଟ୍ରୀୟ ଦଳ ମର୍ଯ୍ୟାଦା ମିଳିବା ଲକ୍ଷ୍ୟରେ କର୍ଣ୍ଣାଟକ ଲଢେଇରେ ସାମିଲ ହେଉଛନ୍ତି । ନିକଟରେ ନିର୍ବାଚନ ଆୟୋଗ ଏନ୍ସିପିର ରାଷ୍ଟ୍ରୀୟ ଦଳ ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି । ନିର୍ବାଚନ ଆୟୋଗ କର୍ଣ୍ଣାଟକ ଭୋଟ୍ ପାଇଁ ଏନ୍ସିପିକୁ ଆଲାର୍ମ କ୍ଲକ୍ ଆବଣ୍ଟନ କରିଛନ୍ତି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ଅଞ୍ଚଳରେ ଏନ୍ସିପିର ବିଶେଷ ପ୍ରଭାବ ରହିଛି । ସେଠାରେ ମହାରାଷ୍ଟ୍ର ଏକୀକରଣ ସମିତି ସହ ବୁଝାମଣା କରି ଏକାଧିକ ଆସନରେ ବିଜୟୀ ହେବା ଆଶା ରଖିଛନ୍ତି ପାୱାର । ତେବେ ଏହାଦ୍ୱାରା କଂଗ୍ରେସର ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି ।