ସମ୍ବଲପୁରରେ ଫ୍ଲାଗ୍ ମାର୍ଚ୍ଚ
ଭୁବନେଶ୍ୱର, ୧୩ା୪(ବୁ୍ୟରୋ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସମ୍ବଲପୁରରେ ଘଟିଛି ହିଂସାକାଣ୍ଡ । ଏଥିପାଇଁ ବୁଧବାରଠାରୁ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ବିଶେଷକରି ହିଂସାକାଣ୍ଡ ସ୍ଥଳ କୁହାଯାଉଥିବା ମୋତିଝରଣ ଛକ ଠାରୁ ଗେଙ୍ଗୁଟିପାଲୀ ପର୍ଯ୍ୟନ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି । ଏହି ସ୍ଥାନରେ ଯେପରି ଆଇନଶୃଙ୍ଖଳା ପୁନରାବୃତ୍ତି ନ ହୁଏ, ତାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗୁରୁବାର ଦୁଇ ଥର ଫ୍ଲାର୍ଗ ମାର୍ଚ୍ଚ କରାଯାଇଛି । ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ପି ବି. ଗଙ୍ଗାଧର ଏବଂ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସାମିଲ ଥିଲେ । ହିଂସାକାଣ୍ଡ ଭିଆଇଥିବା ୪୬ ଜଣ ଦଙ୍ଗାକରୀଙ୍କୁ ଅଟକ ରଖାଯାଇଛି । ହିଂସାକାଣ୍ଡ ସମୟର ଭିଡିଓ ଫୁଟେଜ ଓ ପ୍ରମାଣକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଶୁକ୍ରବାର ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବର୍ତ୍ତମାନ ସହରରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆବଶ୍ୟକ ପଡିଲେ ଆଉ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ସଜାଗ ରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ କମିଟି ସହ ଆଲୋଚନା ହୋଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ହନୁମାନ ଜୟନ୍ତୀ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଅନୁଯାୟୀ ଆୟୋଜନ କରାଯିବ ବୋଲି ସମ୍ବଲପୁର ଏସ୍ପି ସମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି । ବୁଧବାର ସନ୍ଧ୍ୟା ପରଠାରୁ ସହରର ବିଭିନ୍ନ ଛକ ସ୍ଥାନରେ ୧୪୪ ଧାରା ବଳବତ୍ତର ରହିଛି । ଏହାରି ଭିତରେ ହନୁମାନ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ବାହାରିବ । ଏ ବାବଦରେ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ହିଂସାକାଣ୍ଡ ପରେ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସମ୍ପର୍କରେ ସୂଚନା ଦେଇ ସମ୍ବଲପୁର ଏସ୍ପି ବାଟଲା ଗଙ୍ଗାଧର କହିଛନ୍ତି, ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ବାଇକ୍ ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଭଳି ଦୃଶ୍ୟ ଭାଇରାଲ ନକରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସି୍ପି କହିଛନ୍ତି ।