ଶେଷ ଓଭର୍ରେ ଜିତିଲା ଗୁଜରାଟ

ଆଇପିଏଲ୍-୧୬ । ୧୮ତମ ମ୍ୟାଚ୍
ମୋହାଲୀ, ୧୩ା୪ (ଏଜେନ୍ସି): ଶୁଭମନ ଗିଲ୍ଙ୍କ ଅର୍ଦ୍ଧଶତକ ସହାୟତାରେ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ର ୧୮ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି । ଗୁଜରାଟର ଏହା ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ।
ଗୁଜରାଟ ଟାଇଟନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତରୁ ସୁସ୍ଥ ହୋଇ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଯଶ ଦୟାଲ୍ଙ୍କ ସ୍ଥାନରେ ମୋହିତ ଶର୍ମାଙ୍କୁ ଟିମ୍ରେ ସାମିଲ କରାଯାଇଥିଲା । ବିଜୟ ଶଙ୍କର ଦ୍ୱିତୀୟ ଇନିଂସ୍ରେ ଇମ୍ପାକ୍ଟ ଖେଳାଳି ଭାବେ ଟିମ୍ର ଅଂଶବିଶେଷ ହୋଇଥିଲେ । ଅନ୍ୟପଟେ, ପଞ୍ଜାବ ଟିମ୍ରେ ନାଥନ୍ ଏଲିସ୍ଙ୍କ ସ୍ଥାନରେ କାଗିସୋ ରାବାଡ଼ା ଓ ସିକନ୍ଦର ରଜାଙ୍କ ସ୍ଥାନରେ ଭାନୁକା ରାଜପାକ୍ଷଙ୍କୁ ଚୂଡ଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା । ମାଥୁ୍ୟ ସର୍ଟ ଟିମ୍ ପକ୍ଷରୁ ସର୍ବାଧିକ ୩୬ ରନ୍ କରିଥିଲେ । ବିପକ୍ଷ ବୋଲର୍ ମୋହିତ ୪ ଓଭର୍ରେ ୧୮ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମୀ, ଜୋଶ୍ ଲିଟିଲ୍, ଆଲଜାରୀ ଜୋସେଫ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟିମ୍ର ଆରମ୍ଭ ଭଲ ନ ଥିଲା ଏବଂ ୨୮ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିଥିଲା । ଟିମ୍ ପ୍ରଥମ ଓଭର୍ରେହିଁ ପ୍ରଭସିମରନ୍ ସିଂହଙ୍କ ୱିକେଟ୍ ହରାଇଥିଲା । ମହମ୍ମଦ ଶାମୀଙ୍କ ସର୍ଟ ଅଫ୍ ଲେନ୍ଥ ବଲ୍ରେ ସେ ଖାତା ଖୋଲି ନ ପାରି ସର୍ଟ ମିଡ୍ୱିକେଟ୍ରେ ରଶିଦ୍ ଖାନ୍ଙ୍କୁ କ୍ୟାଚ୍ ଦେଇଥିଲେ । ଚତୁର୍ଥ ଓଭର୍ରେ ଶିଖର ଧାବନ୍ (୮)ଙ୍କ ୱିକେଟ୍ ପଡ଼ିଥିଲା । ଜୋଶୁଆ ଲିଟିଲ୍ ଲେଗ୍ ଷ୍ଟମ୍ପ୍ରେ ଗୁଡ୍ ଲେନ୍ଥ ବଲ୍ ପକାଇଥିଲେ, ଯେଉଁଥିରେ ଧାବନ୍ ଆଗକୁ ଯାଇ ସଟ୍ ଲଗାଇଥିଲେ ଏବଂ ମିଡ୍-ଅନ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ।
ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୫୨/୨ । ମାଥୁ୍ୟ ଶର୍ଟ ଓ ଭାନୁକା ରାଜପାକ୍ଷଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୪୭ ରନ୍ର ଭାଗୀଦାରୀ ହୋଇଥିଲା । ଶର୍ଟ ବ୍ୟକ୍ତିଗତ ୩୬ ରନ୍ରେ ରଶିଦ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଏହାପରେ ରାଜପାକ୍ଷ ନୂଆ ବ୍ୟାଟର୍ ଜିତେଶ ଶର୍ମାଙ୍କ ସହ ମିଶି ୩୭ ରନ୍ ଯୋଗ କରିଥିଲେ । ଜିତେଶ ୨୫ ରନ୍ କରି ମୋହିତ ଶର୍ମାଙ୍କ ବଲ୍ରେ ରିଦ୍ଧିମାନ୍ ସାହାଙ୍କୁ କ୍ୟାଚ୍ ଦେଇଥିଲେ ।
ରାଜପାକ୍ଷ ବ୍ୟକ୍ତିଗତ ୨୦ ରନ୍ରେ ଅଲ୍ଜାରୀ ଯୋସେଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ସାମ୍ କରାନ୍ (୨୨) ମୋହିତଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍. ଶାହରୁଖ ଖାନ୍ ୨୨ ଓ ରିଷି ଧାବନ୍ ୧ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ । ହରପ୍ରୀତ ବ୍ରାର ୮ ରନ୍ କରି ଅପରାଜିତ ଥିଲେ ।
୧୫୪ ରନ୍ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ପକ୍ଷରୁ ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ଙ୍କ ଯୋଡ଼ି ଦ୍ରୁତ ଆରମ୍ଭ କରିଥିଲେ । ସାହା ବ୍ୟକ୍ତିଗତ ୩୦ ରନ୍ରେ କାଗିସୋ ରାବାଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଗିଲ୍୍ ଓ ସୁଦର୍ଶନ ଇନିଂସ୍କୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୪୧ ରନ୍ର ଭାଗୀଦାରୀ ହୋଇଥିଲା । ସୁଦର୍ଶନ ୧୯ ରନ୍ କରି ଅର୍ଶଦୀପ ସିଂହଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ହାର୍ଦ୍ଦିକ । କିନ୍ତୁ ହାର୍ଦ୍ଦିକ ମାତ୍ର ୮ ରନ୍ କରି ହରପ୍ରୀତ ବ୍ରାର୍ଙ୍କ ଶିକାର ହୋଇଥିଲେ । ଏହାପରେ ଗିଲ୍ ନୂଆ ବ୍ୟାଟର୍ ଡେଭିଡ୍ ମିଲର୍ଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ କରାଇଥିଲେ ।
ଶେଷ ଓଭର୍ରେ ଗିଲ୍ ବ୍ୟକ୍ତିଗତ ୬୭ (୪୯ ବଲ୍ରୁ ୭ ଚୌକା ଓ ୧ ଛକା ସହାୟତାରେ) କରାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଟିମ୍ ୧୯.୫ ଓଭର୍ରେ ୪ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ମିଲର୍ ୧୭ ଓ ରାହୁଲ ତେୱାଟିଆ ୫ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *