୧ଠ ବର୍ଷରେ ଜିଲ୍ଲାରେ ଜଣେ ବି ନିଯୁକ୍ତି ପାଇନାହାନ୍ତି

ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ସ୍ମାରକପତ୍ର
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହାକୁ ନେଇ ଯୁବଗୋଷ୍ଠୀ ହତୋତ୍ସାହ ହୋଇ ପଡ଼ିଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ କିଭଳି ବେକାର ଯୁବକ ଓ ଯୁବତୀଙ୍କୁ ସରକାରୀ ଓ ବେସରକାରୀ ସଂସ୍ଥାରେ ନିୟୋଜିତ ହୋଇପାରିବେ ସେ ନେଇ ଗୁରୁବାର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ୬ଦଫା ସମ୍ମିଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି ।
ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଗତ ୧୦ବର୍ଷ ମଧ୍ୟରେ ପୁରୀ ଜିଲ୍ଲାରୁ ଜଣେ ବି ଯୁବକ କି ଯୁବତୀ ନିଯୁକ୍ତି ପାଇନାହାନ୍ତି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ ପଞ୍ଜିକରଣ ୩୫୨୨୧ ହୋଇଥିବା ବେଳେ ଏଥିମଧ୍ୟରୁ ଜଣେ ଚାକିରି ପାଇଥିବା ରିପୋର୍ଟ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନାରେ ନିଯୁକ୍ତି ବାହାର କରୁଥିବା ବେଳେ ଜିଲ୍ଲାରେ କୌଣସି ଯୁବଗୋଷ୍ଠୀ ଚାକିରି ନ ପାଇ ସେମାନେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ପୁରୀ ସହରରେ ଅନେକ ବଡ଼ ବଡ଼ ବ୍ୟବସାୟ ଅନୁଷ୍ଠାନ ରହିଥିଲେ ମଧ୍ୟ ସେଠାରେ ବେସରକାରୀ ଭାବେ ପିଲାଙ୍କୁ ନିଯୁକ୍ତି ମିଳିପାରନ୍ତା, ମାତ୍ର ତାହା କରାଯାଉ ନାହିଁ । ସେହିଭଳି ଗ୍ରାମାଞ୍ଚଳରେ ମହାତ୍ମାଗାନ୍ଧୀ ଯୋଜନା ଫେଲ୍ ମାରିଛି । ଫଳରେ ଦିନକୁ ଦିନ ଜିଲ୍ଲାରେ ବେକାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ସମୟରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଚିବ ତଥା ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୁଶା, ଜିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *