ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ
ବାଇକ୍ ରାଲି ବେଳେ ପୁଲିସ୍ ଉପରେ ପଥର ମାଡ଼
ଏଏସ୍ପି, ୨ ଆଇଆଇସି ସମେତ ୧୦ ଆହତ
ଦୋକାନ ଜାଳିଲେ, କାର୍-ବାଇକ୍ ଭାଙ୍ଗିଲେ
ଘଟଣା ସ୍ଥଳରେ ଉତ୍ତେଜନା, ୧୪୪ ଧାରା ଜାରି
ସମ୍ବଲପୁର/ଭୁବନେଶ୍ୱର, ୧୨ା୪(ବୁ୍ୟରୋ): ସମ୍ବଲପୁର ଧନୂପାଲୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ବାଇକ୍ ରାଲି ବେଳେ ବୁଧବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଏସ୍ପି ଏବଂ ୨ ଜଣ ଥାନା ଅଧିକାରୀ ସମେତ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଏସ୍ପି ତପନ ମହାନ୍ତି ସାମାନ୍ୟ ଆହତ ହୋଇଛନ୍ତିି । ସେହିପରି ଟାଉନ୍ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଏବଂ ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉତ୍ତେଜନା ଉଗ୍ର ରୂପ ଧାରଣ କରିଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଠାରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ସମଗ୍ର ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାର ଗୋଟିଏ ଗୋଷ୍ଠୀ ପକ୍ଷରୁ ଏକ ବାଇକ୍ ରାଲି ବାହାରିଥିଲା । ଗୋବିନ୍ଦ ତାଲା ଛକରୁ ଏହି ବାଇକ୍ ରାଲି ବାହାରିଥିଲା ଯାହା ଜେଲ ଛକ, ଧନୁପାଲି ଥାନା ଛକ, ମୋତିଝରଣ ଛକ, ସାକ୍ଷୀପଡା, ଲକ୍ଷ୍ମୀ ଟକିଜ୍, ମୋଦୀ ପଡା ଦେଇ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ମୋତିଝରଣ ଛକରୁ ରାଲି ଯିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଛକରେ ଥିବା ମସଜିଦ୍ ପାଶ୍ୱର୍ରୁ ଗୋଟିଏ ଗୋଷ୍ଠୀ ଟେକା ପଥର ମାଡ କରିଥିବା ବେଳେ ଅପରପାଶ୍ୱର୍ରୁ ବାଇକ୍ ରାଲିରେ ଯାଉଥିବା ଗୋଷ୍ଠୀ ମଧ୍ୟ ଟେକା ପଥର ମାଡ କରିଥିଲେ । ଗୋଟିଏ ଗୋଷ୍ଠୀ ପଥର ମାଡ କରିବା ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଅପର ଗୋଷ୍ଠୀଙ୍କୁ ଭୟଭୀତ ଉଦ୍ୟମ କରିଥିଲେ । ଗୋଷ୍ଠୀ ସଂଘର୍ଷ ବେଳେ କେତେକ ବାଇକ୍ ଓ କାର୍ ଗଣ୍ଡଗୋଳକାରୀମାନେ ଭଙ୍ଗାରୁଜା କରିଥିଲେ । ନିକଟରେ ଥିବା କେତେକ ଦୋକାନରେ ନିଆଁ ଲଗାଇଦେଇଥିଲେ । ଜିଲ୍ଲା ସ୍କୁଲ ଅଫିସ ଠାରୁ ଭିଜିଲାନ୍ସ ଅଫିସ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣା ସ୍ଥଳରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବା ସହିତ ଉତ୍ତେଜନା ସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଛି । ପ୍ରକାଶ ଥାଉ କି, ଆହତ ଧନୁପାଲୀ ଆଇଆଇସି ଅନିତା ପ୍ରାଧାନ ହୋଉଛନ୍ତି ସେହି ଆଇଆଇସି ଯାହାଙ୍କୁ ବିରୋଧୀ ଦଳର ନେତା ହାତ ଉଠାଇବାର ଅଭିଯୋଗ ହୋଇଥିଲା । ହନୁମାନ ଜୟନ୍ତୀରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା କରି ପୂର୍ବରୁ ବିଜେପି ନେତା ଜୟବ୍ରତ ଦେଙ୍କୁ ପୁଲିସ ଉଠାଇ ନେଇଥିଲା । ବାଇକ୍ ରାଲି କରୁଥିବା ଗୋଷ୍ଠୀଙ୍କ କହିବା କଥା ଏହି ଛକ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ୱେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିନଥିଲା । ୮ ତାରିଖ ରାଲି ବେଳେ ଯେପରି ଭାବେ ଦଇଡି ବାନ୍ଧି କର୍ଡନ କରାଯାଇଥିଲା, ବୁଧବାର ସେପରି କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ସମ୍ବଲପୁର ଏସ୍ପି ବାଟଲା ଗଙ୍ଗାଧର ଏକଥା ଜାଣିଥିବା ସତ୍ତ୍ୱେ ସୁରକ୍ଷା ଦେଇନଥିଲେ । ତେଣୁ କିଛି ଲୋକ ରାଲି ଭିତରେ ପଶି ବିଶୃଙ୍ଖଳା କରିବାରୁ ଏଭଳି ଘଟଣା ଘଟିଛି ।