ଡୋକଲାମ ଦଖଲ ପାଇଁ ପୁଣି ଚୀନର ସଜବାଜ
ନୂଆଦିଲ୍ଲୀ (ଏଜେନ୍ସି): ପୁଣି ଥରେ ଡୋକ୍ଲାମକୁ ଦଖଲ କରିବା ପାଇଁ ଚୀନର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଭୁଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ବଡ଼ଧରଣର ସାମରିକ ବାରାକ୍ ନିର୍ମାଣ କରିଛି । ସାଟେଲାଇଟ୍ ଫଟୋରେ ଏହି ବାରାକ୍ଗୁଡ଼ିକ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏହା ପରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରି ଜବାବ ମାଗିଛି । ଭୁଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ୍ ଦ୍ୱାରା ବ୍ୟାପକ ନିର୍ମାଣକୁ ନେଇ ଭାରତୀୟ ସେନା ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛି । ଆମୋ ଚୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଡୋକଲାମ ଉପତ୍ୟକା ନିକଟରେ ଅଛି, ଯେଉଁଠାରୁ ଭାରତର ସିଲିଗୁଡ଼ି କରିଡ଼ର ନିକଟତର । ଏହା ଭାରତ-ଚୀନ-ଭୁଟାନ ଡୋକଲାମ ଟ୍ରାଇ-ଜଙ୍କସନଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଏଠାରେ ବେଜିଂର ରାସ୍ତା ନିର୍ମାଣକୁ ନେଇ ୨୦୧୭ରେ ଭାରତ ଓ ଚୀନ୍ ମଧ୍ୟରେ ଏକ ବଡ଼ ସାମରିକ ବିବାଦ ହୋଇଥିଲା । ସାଟେଲାଇଟ୍ ଫଟୋଗୁଡ଼ିକରେ ଆମୋ ଚୁରେ ଯୋଗାଯୋଗ ଟାୱାର ସମେତ ପିଏଲ୍ଏ ଯବାନଙ୍କ ସ୍ଥାୟୀ ଆଶ୍ରୟସ୍ଥଳୀ ଦେଖିବାକୁ ମିଳୁଛି । ପିଏଲ୍ଏର ହଜାର ହଜାର ସୈନିକଙ୍କ ରହିବା ପାଇଁ ପ୍ରାୟ ଏକ ହଜାର ସ୍ଥାୟୀ ସାମରିକ ଘର ଏବଂ ଅନେକ ଅସ୍ଥାୟୀ ସେଡ୍ ଦେଖିବାକୁ ମିଳିଛି ।
ନିକଟରେ ଭୁଟାନର ରାଜା ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ବୈଠକ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ, ଭୁଟାନ ରାଜାଙ୍କ ସହିତ ଡୋକଲାମ ଉପରେ ମଧ୍ୟ ମୋଦୀଙ୍କ ଆଲୋଚନା ହୋଇଥିଲା । ସୂତ୍ର ଅନୁଯାୟୀ, ଭୁଟାନ ଭିତରେ ଡୋକଲାମରେ ନିର୍ମାଣ କରି ଚୀନ ଭୁଟାନକୁ ଅନ୍ୟ ପାଶ୍ୱର୍ରେ ଜମି ଦେବାକୁ ଚାହୁଁଛି । ଚୀନର ସୈନ୍ୟ ଏଠାରେ ରହିଲେ ତାହା ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିବ । କାରଣ ଯୁଦ୍ଧ ସମୟରେ ସେମାନେ ଯଦି ଚିକେନ୍ ନେକ୍କୁ ଅଧିକାର କରିନିଅନ୍ତି, ତେବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଭାରତର ମୁଖ୍ୟ ଭୂଖଣ୍ଡଠାରୁ ଅଲଗା ହୋଇଯିବ ।