ରାଜସ୍ଥାନର ରୋମାଞ୍ଚକ ବିଜୟ
ଆଇପିଏଲ୍-୧୬ । ୧୭ତମ ମ୍ୟାଚ୍
ଚେନ୍ନାଇ, ୧୨ା୪ (ଏଜେନ୍ସି): ରାଜସ୍ଥାନ ରୟାଲ୍ସ ଶେଷ ବଲ୍ ଯାଏଁ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୧୭ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୩ ରନ୍ରେ ପରାସ୍ତ କରିଛି । ରାଜସ୍ଥାନର ଏହା ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ।
୧୭୬ ରନ୍ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୭୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୨ ଓ ରବୀନ୍ଦ୍ର ଜାଡ଼େଜା ୨୫ ରନ୍ କରି ଅପରାଜିତ ଥିଲେ ।
ଟିମ୍ ୧୦ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ଋତୁରାଜ ଗାଏକୱାଡ୍ ୮ ରନ୍ କରି ସନ୍ଦୀପ ଶର୍ମାଙ୍କ ଶିକାର ହୋଇଥିଲେ । ଏହାପରେ ଅନ୍ୟତମ ଓପନର ଡେଭନ୍ କନୱେ ନୂଆ ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଗ କରିଥିଲେ । ରାହାଣେ (୩୧)ଙ୍କୁ ଅଶ୍ୱିନ ଆଉଟ୍ କରିଥିଲେ । ପରବର୍ତ୍ତୀ ବ୍ୟାଟର୍ ଶିବମ୍ ଦୁବେ ୮ ଓ ମୋଇନ୍ ଅଲ୍ଲୀ ୭ ରନ୍ କରି ଯଥାକ୍ରମେ ଅଶ୍ୱିନ ଓ ଜମ୍ପାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଅମ୍ବାତି ରାୟୁଡ଼ୁ ବି ବିଫଳ ହୋଇଥିଲେ । ସେ ମାତ୍ର ୧ ରନ୍ କରି ଯୁଜବେନ୍ଦ୍ର ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୧୦୩ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । କନୱେ ବ୍ୟକ୍ତିଗତ ୫୦ (୩୮ ବଲ୍ରୁ) ରନ୍ରେ ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହା ପୂର୍ବରୁ ଚେନ୍ନାଇ ପାଇଁ ୨୦୦ତମ ମ୍ୟାଚ୍ରେ ଅଧିନାୟକତ୍ୱ କରୁଥିବା ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ଟିମ୍ରେ ତିନି ପରିବର୍ତ୍ତନ କରାଯାଇଥିଲା । ଦୀପକ ଚାହରଙ୍କ ସ୍ଥାନରେ ଆକାଶ ସିଂହ, ମିଚେଲ୍ ସାଣ୍ଟନରଙ୍କ ସ୍ଥାନରେ ମହୀଶ ତୀକ୍ଷଣା ଓ ଡ୍ୱେନ୍ ପ୍ରିଟୋରିଅସ୍ଙ୍କ ସ୍ଥାନରେ ମୋଇନ୍ ଅଲ୍ଲୀଙ୍କୁ ସୁଯୋଗ ମିଳିଥିଲା । ଅମ୍ବାତି ରାୟୁଡ଼ୁ ଇମ୍ପାକ୍ଟ ଖେଳାଳି ଭାବେ ଦ୍ୱିତୀୟ ଇନିଂସ୍ରେ ଟିମ୍ର ଅଂଶବିଶେଷ ହୋଇଥିଲେ ।
ସେହିପରି ରାଜସ୍ଥାନ ରୟାଲ୍ସରେ ଦୁଇ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ରିଆନ୍ ପରାଗଙ୍କ ସ୍ଥାନରେ ଦେବଦତ୍ତ ପଡ୍ଡୀକଲ ଓ କେଏମ୍ ଆସିଫ୍ଙ୍କ ସ୍ଥାନରେ କୁଲଦୀପ ସେନ୍ଙ୍କୁ ସାମିଲ କରାଯାଇଥିଲା । ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ଇନିଂସ୍ରେ ଟିମ୍ର ଅଂଶବିଶେଷ ହୋଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଓପନର୍ ଜୋସ୍ ବଟ୍ଲର୍ ସର୍ବାଧିକ ୫୨ ରନ୍ କରିଥିଲେ । ବିପକ୍ଷ ବୋଲର୍ ଆକାଶ ସିଂହ, ତୁଷାର ଦେଶପାଣ୍ଡେ, ରବୀନ୍ଦ୍ର ଜାଡ଼େଜା ୨ ଲେଖାଏଁ ଏବଂ ମୋଇନ୍ ଅଲୀ ଗୋଟିଏ ୱିକେଟ୍ ନେଇଥିଲେ ।
ଯଶସ୍ୱୀ ଜୟସ୍ୱାଲ୍ ଓ ଜୋସ୍ ବଟ୍ଲର୍ଙ୍କ ଯୋଡ଼ି ୧୧ ରନ୍ରେ ଭାଙ୍ଗିଥିଲା । ଜୟସ୍ୱାଲ୍ ୧୦ ରନ୍ କରି ତୁଷାର ଦେଶପାଣ୍ଡେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବଟ୍ଲର୍ ନୂଆ ବ୍ୟାଟର୍ ଦେବଦତ୍ତ ପଡ୍ଡିକଲ୍ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୭ ରନ୍ର ଭାଗୀଦାରୀ କରିଥିଲେ । ନବମ ଓଭର୍ରେ ରବୀନ୍ଦ୍ର ଜାଡ଼େଜା ପ୍ରଥମେ ପଡ୍ଡିକଲ୍ (୩୮) ଓ ଏହାପରେ ଅଧିନାୟକ ସଞ୍ଜୁ ସାମ୍ସନ୍ (୦)ଙ୍କୁ ପାଭିଲିଅନ୍ ପଠାଇଥିଲେ ।
ବଟ୍ଲର୍ ଏହାପରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୭ ରନ୍ ଯୋଗ କରିଥିଲେ । ଅଶ୍ୱିନ ୨୬ ବଲ୍ରୁ ୩୮ ରନ୍ କରି ଆକାଶ ସିଂହ ଓ ବଟ୍ଲର୍ ୩୬ ବଲ୍ରୁ ୫୨ ରନ୍ କରି ମୋଇନ୍ ଅଲୀଙ୍କ ଶିକାର ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଜୁରେଲ୍ (୪) ଓ ଜାସନ୍ ହୋଲ୍ଡର (୦) ଯଥାକ୍ରମେ ଆକାଶ ଓ ତୁଷାରଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଆଦାମ ଜମ୍ପା (୧) ରନ୍ଆଉଟ୍ ହୋଇଥିଲେ ।