ଜଳୁଛି ଉପାନ୍ତରୁ ଉପକୂଳ
ଭୁବନେଶ୍ୱର, ୧୨ା୪(ବୁ୍ୟରୋ): ଗ୍ରୀଷ୍ମ ପ୍ରବାହ ଯୋଗୁଁ ତତଲା କଢେଇରେ ଭାଜି ହେଉଛି ସାରା ଓଡିଶା । ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ତାତି । ବୁଧବାର ଝାରସୁଗୁଡା ବିଶ୍ୱର ଅଷ୍ଟମ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ସବୁଠୁ ଉତ୍ତପ୍ତ ୧୫ ସହର ତାଲିକାରେ ଭାରତର ଦୁଇ ସହର ରହିଛି । ବୁଧବାର ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୩ ସହରର ତାପମାତ୍ରା ୪୦ ପାର୍ କରିଛି । ୪୨.୪ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେହିଭଳି ସମ୍ବଲପୁର ୪୧.୯, ହୀରାକୁଦ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୯.୬ ଡିଗ୍ରୀ, ଭୁବନେଶ୍ୱରରେ ୩୯.୪ ଡିଗ୍ରୀ, କେନ୍ଦୁଝର ୩୮, ବାଲେଶ୍ୱର ୩୭.୨ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୩ ତାରିଖରୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି ।
୧୬ ତାରିଖରେ ବଙ୍ଗୋପସାଗରରୁ ବାୟୁ ପ୍ରବାହ ହେବା ଫଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି । ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ରାଜ୍ୟରେ ହିଟୱେଭ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ସମସ୍ତ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଖରାରେ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । କିଛି ଦିନ ଧରି ଏପରି ପ୍ରଚଣ୍ଡ ଖରା ଜାରି ରହିବ, ତେଣୁ ସବୁ ମେଡିକାଲରେ ଏସି ରୁମ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆମ୍ବୁଲାନ୍ସ ରଖିବାକୁ ନିଦେ୍ର୍ଦଶ ସହ ପ୍ରତି ଜିଲ୍ଲାରେ ରହିବ କଲ ସେଣ୍ଟର । ସର୍ତକ ରହିବାକୁ ଜିଲ୍ଲାମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ।