ଶେଷ ବଲ୍ରେ ଜିତିଲା ମୁମ୍ବାଇ
ଆଇପିଏଲ୍-୧୬ । ୧୬ତମ ମ୍ୟାଚ୍
ନୂଆଦିଲ୍ଲୀ, ୧୧ା୪ (ଏଜେନ୍ସି): ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିଛି । ଟିମ୍ ଶେଷ ବଲ୍ରେ ମ୍ୟାଚ୍ ଜିତିଛି । ମୁମ୍ବାଇ ମଙ୍ଗଳବାର ଖେଳାଯାଇଥିବା ସିଜନ୍ର ୧୬ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ମାତ୍ ଦେଇଛି । ମୁମ୍ବାଇର ଏହା ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ଯେତେବେଳେକି ଦିଲ୍ଲୀର ଏହା କ୍ରମାଗତ ଚତୁର୍ଥ ପରାଜୟ ।
ମୁମ୍ବାଇ ଟିମ୍ ପୂରା ୨୦ ଓଭର୍ ଖେଳି ୪ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୫ ବଲ୍ରୁ ସର୍ବାଧିକ ୬୫ (୬ ଚୌକା ଓ ୪ ଛକା ସହାୟତାରେ) ରନ୍ କରିଥିବା ବେଳେ ତିଲକ ବର୍ମା ୨୯ ବଲ୍ରୁ ୪୧, ଈଶାନ କିଶନ୍ ୩୧ ରନ୍ର ଇନିଂସ୍ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିପାରି ନ ଥିଲେ । ଟିମ୍ ଡେଭିଡ୍ ୧୩ ଓ କାମେନ୍ ଗ୍ରୀନ୍ ୧୭ ରନ୍ କରି ଅପରାଜିତ ଥିଲେ ।
୧୭୩ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ମୁମ୍ବାଇ ଟିମ୍ ଦମ୍ଦାର ଢଙ୍ଗରେ ଆରମ୍ଭ କରିଥିଲା । ଅଧିନାୟକ ରୋହିତ ଓ ଈଶାନ କିଶନଙ୍କ ଓପନିଂ ଯୋଡ଼ି ୭୧ (୪୫ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ ।
ମୁମ୍ବାଇ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ର୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍ ୧୯.୪ ଓଭର୍ରେ ୧୭୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଟିମ୍ର ଓପନିଂ ଯୋଡ଼ି ୩୩ ରନ୍ରେ ଭାଙ୍ଗିଥିଲା । ପୃଥ୍ୱୀ ଶ’ ୧୫ ରନ୍ କରି ରିତିକ୍ ସୋକୀନଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ନୂଆ ବ୍ୟାଟର୍ ମନୀଷ ପାଣ୍ଡେଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେବାକୁ ପ୍ରୟାସ କରିଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୫୧/୧ ।
ମନୀଷ ବ୍ୟକ୍ତିଗତ ୨୬ ରନ୍ରେ ପୀୟୂଷ ଚାୱଲାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୪୩ ରନ୍ର ଭାଗୀଦାରୀ ହୋଇଥିଲା । ମଧ୍ୟକ୍ରମର ବିଫଳତା ଯୋଗୁଁ ୯୮ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଯଶ ଧୂଲ୍ (୨) , ରୋଭମାନ୍ ପୱେଲ୍ (୪) ଓ ଲଳିତ ଯାଦବ (୨) ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଯଶଙ୍କୁ ରିଲୀ ମେରେଡିଥ୍ ଏବଂ ରୋଭମାନ୍ ଓ ଲଳିତଙ୍କୁ ପୀୟୂଷ ଆଉଟ୍ କରିଥିଲେ ।
ଏହାପରେ ୱାର୍ଣ୍ଣର ପରବର୍ତ୍ତୀ ବ୍ୟାଟର୍ ଅକ୍ଷର ପଟେଲ୍ଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୬୭ ରନ୍ ଯୋଗ କରିଥିଲେ । ଇତ୍ୟବସରେ ୱାର୍ଣ୍ଣର ୪୩ ବଲ୍ରୁ ଓ ଅକ୍ଷର ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୯ତମ ଓଭର୍ରେ ଜାସନ୍ ବେହରେନ୍ଡର୍ଫଙ୍କ ବଲ୍ରେ ପ୍ରଥମେ ଅକ୍ଷର (୨୫ ବଲ୍ରୁ ୪ ଚୌକା ଓ ୫ ଛକା ସହାୟତାରେ) ୫୪ ଓ ଏହାପରେ ୱାର୍ଣ୍ଣର ୫୧ (୪୭ ବଲ୍ରୁ) ରନ୍ କରି ଆଉଟ୍ ହୋଇଥିଲେ ।
କୁଲଦୀପ ଯାଦବ (୦) ରନ୍ଆଉଟ୍ ହୋଇଥିବା ବେଳେ ଅଭିଷେକ ପୋରେଲ୍ (୧) ଓ ଆନ୍ରିଚ୍ ନୋର୍ତଜେ (୫) ଯଥାକ୍ରମେ ବେହରେନ୍ଡର୍ଫ ଓ ମେରେଡିଥ୍ଙ୍କ ଶିକାର ହୋଇଥିଲେ । ବିପକ୍ଷ ବୋଲର୍ ବେହରେନ୍ଡର୍ଫ ଓ ପୀୟୂଷ ୩ ଲେଖାଏଁ, ମେରେଡିଥ୍ ୨ ଓ ସୋକୀନ୍ ଗୋଟିଏ ୱିକେଟ୍ ନେଇଥିଲେ ।