ଶୁଖୁଛି ଚିଲିକା: ଗାଁ ଛାଡୁଛନ୍ତି ଲୋକେ

ଭୁବନେଶ୍ୱର,୧୧ା୪(ତଥ୍ୟ): ଗୋଟିଏ ପଟେ ଚିଲିକା ହ୍ରଦ ପୋତି ହୋଇପଡୁଥିବାବେଳେ ଅନ୍ୟପଟେ ଏହାର ଜଳରାଶି ଶୁଖି ଆସୁଛି । ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ କରି ପାଣି ଅଟକାଇବାର ସିଧାସଳଖ ପ୍ରତିକୂଳ ପ୍ରଭାବ ଚିଲିକା ଉପରେ ପଡୁଛି । ଏଥିଯୋଗୁ ଚିଲିକାରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡା ଉତ୍ପାଦନ କମୁଥିବାରୁ ଜୀବନ ଜୀବିକା ପାଇଁ ଚିଲିକା ତଟବର୍ତ୍ତୀ ଅଞ୍ଚଳର ଅନେକ ଲୋକ ଗାଁ ଗଣ୍ଡା ଛାଡି ଅନ୍ୟତ୍ର ଜୀବିକାର୍ଜନ ଲାଗି ପଳାଉଛନ୍ତି ।
ଚିଲିକାରେ ଯେତେସବୁ ନଦୀ ନାଳ ପଡିଛି ସେଥିମଧ୍ୟରୁ ମହାନଦୀର ପ୍ରଶାଖା ଭାବେ ପରିଚିତ ଦୟା, ଭାର୍ଗବୀ ଆଦି ପ୍ରମୁଖ । ମହାନଦୀ ଶୁଖିଲା ପଡିଥିବାବେଳେ ଦୟା, ଭାର୍ଗବୀର ଶଯ୍ୟା ବି ଶୁଖିଲା ପଡିଛି । ଫଳରେ ଚିଲିକାର ଉପନଦୀ ଗୁଡିକରୁ ଜଳ ପ୍ରବାହ କମିବା ସଙ୍ଗେ ସଙ୍ଗେ ମୁହାଣ ବି ପୋତି ହୋଇଯାଉଛି । ଏଥିଯୋଗୁ ଚିଲିକା ଜଳର ଲବଣାଂଶ ମଧ୍ୟ ବିଭ୍ରାଟ ହେଉଛି ବୋଲି ପରିବେଶ ବିଶେଷଜ୍ଞମାନେ କହୁଛନ୍ତି ।
ପୂର୍ବରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଲଗାତର ଭାବେ ହ୍ରଦ ଭିତରେ, ନଦୀ ନାଳର ମୁହାଣରେ ଏବଂ ସମୁଦ୍ର କୂଳରେ ଖନନ କାର୍ଯ୍ୟ ଚଳାଉଥିଲେ । ଏବେ କିଛିବର୍ଷ ଧରି ଚିଲିକାରେ ଆଉ ଖନନ କାର୍ଯ୍ୟ ହେଉନାହିଁ । ସ୍ଥାନୀୟ ମତ୍ସ୍ୟଜୀବୀମାନେ କହୁଛନ୍ତି ଯେ ଚିଲିକାକୁ ସାମୁଦ୍ରିକ ମୁହାଣ ଖୋଳାଯିବା ଫଳରେ କିଛିବର୍ଷ ପାଇଁ ମତ୍ସ୍ୟ ଉତ୍ପାଦନ ବଢିଥିଲା । ତେବେ ସାମୁଦ୍ରିକ ଢେଉରେ ଆସୁଥିବା ବାଲି ନୂଆ ମୁହାଣବାଟେ ଚିଲିକାରେ ପଶି ଏହାକୁ ପୋତି ଚାଲୁଥିବାବେଳେ ବାଲି, ପଟୁ, ପଙ୍କ ଆଦି ବାହାର କରାଯାଉନାହିଁ । ଏପରିପ୍ରେକ୍ଷୀରେ ସାତପଡ଼ାରୁ ଫେରି ଯୋଗେ ଯାତ୍ରୀ ଓ ଯାନବାହନ ଚଳାଚଳ ପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା ତାହା ଅନେକ ସମୟରେ ବାଧାପ୍ରାପ୍ତ ହେଉଛି । ଚିଲିକାରୁ ପାଣି ଶୁଖି ଯାଉଥିବାବେଳେ ତଳେ ପଟୁ ଓ ବାଲି ଜମି ଯାଉଥିବାରୁ ଅନେକ ସମୟରେ ମଝି ଚିଲିକାରେ ଫେରି ଅଟକି ଯାଉଛି ।
ବିଶେଷଜ୍ଞମାନଙ୍କ ମତରେ ଏପ୍ରିଲ ମାସ ବେଳକୁ ମହାନଦୀ ଓ ତାର ଶାଖାନଦୀ ଗୁଡିକରେ ଯେତେ ପାଣି ରହିବା କଥା ଏବେ ତାହାଠାରୁ ୩ରୁ ୪ ଫୁଟ ପାଣି କମ୍‌ ରହୁଛି । ଅନ୍ୟପକ୍ଷରେ ଗଙ୍ଗୁଆ ନାଳରେ ରାଜଧାନୀ ଭୁବନେଶ୍ୱରର ବ୍ୟାପକ ନର୍ଦ୍ଦମା ଜଳ ଛଡାଯାଉଥିବାରୁ ସିଧାସଳଖ ଗଙ୍ଗୁଆ ନଈ ନର୍ଦ୍ଦମାରେ ପରିଣତ ହୋଇ ପିପିଲି-ଜଟଣୀ ମଝିରେ କଣ୍ଟିଠାରେ ଏହି ନର୍ଦ୍ଦମା ପାଣିକୁ ଦୟା ନଦୀରେ ଛାଡୁଛି । ଆଉ କେତେକ ନଦୀ ଓ ନାଳରେ ବି ନର୍ଦ୍ଦମା ଜଳ ଆସୁଛି ।ସବୁ ସିଧାସଳଖ ଭାବେ ଚିଲିକାରେ ମିଶି ପାଣି ପ୍ରଦୂଷିତ କରିବା ସହିତ ମାଛ, କଙ୍କଡ଼ା, ଚିଙ୍ଗୁଡି ଆଦିଙ୍କ ବଂଶଲୋପ କରିବାରେ ଲାଗିଛି । ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ଆନ୍ତର୍ଜାତିକ ସ୍ତରରେ ରାମ୍‌ସାର୍‌ କନ୍‌ଭେନ୍‌ସନର ଘୋଷଣାନାମା ଭିତ୍ତିରେ ସ୍ୱତନ୍ତ୍ର ପରିଚିତି ପାଇଛି । ଏହା କେବଳ ଓଡ଼ିଶା ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଗର୍ବ ଓ ଗୋ÷ରବର କଥା । ସୀମାରେଖା ଲଂଘନ କରି ପ୍ରତିବର୍ଷ ବିଦେଶରୁ ଲକ୍ଷ ଲକ୍ଷ ପକ୍ଷୀ ଚିଲିକାକୁ ଆସିଥାନ୍ତି ଏବଂ ଚିଲିକା ଉପରେ ଗବେଷଣା ସହିତ ଏହାକୁ ବୁଲି ଦେଖିବା ପାଇଁ ବି ପ୍ରତିବର୍ଷ ଦେଶ ବିଦେଶରୁ ଅନେକ ବ୍ୟକ୍ତି ଆସନ୍ତି ।
ଏ ପରିପ୍ରେକ୍ଷୀରେ ଚିଲିକା ହ୍ରଦର ସୁରକ୍ଷା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚିଲିକା ହ୍ରଦକୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ନଦୀଜଳ ପ୍ରବେଶ କରେ ତାହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବା ଆବଶ୍ୟକ । ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ଚିଲିକାର ସୁରକ୍ଷା ପାଇଁ ବିଭିନ୍ନ ଅନ୍ତର୍ଜାତିକ ସଂସ୍ଥା ଏପରିକି ଭାରତ ସରକାରଙ୍କ ଅର୍ଥ କମିଶନ ମଧ୍ୟ ପ୍ରଚୁର ଅର୍ଥ ବରାଦ କରୁଥିଲେ । ଏବେ କିନ୍ତୁ ଚିଲିକା ପାଇଁ ଜାତୀୟ ଓ ଅନ୍ତର୍ଜାତୀକ ସ୍ତରରୁ ବିଶେଷ ସହାୟତା ମିଳୁନାହିଁ । ଏମିତିକି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଦାୟିତ୍ୱରେ ଥିବା ଅନେକ ଅଧିକାରୀଙ୍କୁ ଭିନ୍ନ ଦପ୍ତର ଗୁଡିକର ଦାୟିତ୍ୱ ଦିଆଯିବା ଫଳରେ ଚିଲିକା ପାଇଁ ପାଣ୍ଠି ଯୋଗାଡ କ୍ଷେତ୍ରରେ ସମସ୍ୟା ଉପୁଜୁଛି ।
ଏକଦା ଚିଲିକାର କ୍ଷେତ୍ରଫଳ ୧୪ଶହ ବର୍ଗକିଲୋମିଟର ଅଧିକ ଥିଲା । ୨୦୦୦ ବେଳକୁ ଏହା ୧୧ଶହ ବର୍ଗକିଲୋମିଟରକୁ ହ୍ରାସ ପାଇଥିବାବେଳେ ଏବେ ଏହି ପରିମାଣ ୭ଶହରୁ ୮ଶହ ବର୍ଗକିଲୋମିଟର ହେବବୋଲି ଆଶଙ୍କା କରାଯାଉଛି । ଚିଲିକା ଉପକୂଳ ଯେଭଳି ଘୁଞ୍ଚô ଘୁଞ୍ଚô ଯାଉଛି ଏବଂ ଯେଉଁଠି ୮/୧୦ବର୍ଷ ତଳେ ୫ଫୁଟରୁ ଅଧିକ ପାଣି ରହୁଥିଲା ସେଠି ଏବେ ପଙ୍କ କାଦୁଅ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି । ଚିଲିକାର ସୁରକ୍ଷା ପାଇଁ ଏବେଠାରୁ ପୁଣି ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଗ୍ରହଣ କରାନଗଲେ ଲକ୍ଷାଧିକ ମତ୍ସ୍ୟଜୀବୀ ପରିବାର ସହିତ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର ବ୍ୟକ୍ତିଙ୍କ ପରିବାର ଉଜୁଡି ଯିବ ଏବଂ ଚିଲିକା ଉପକୂଳରେ ଆଉ ଲୁଣମରା ହୋଇପାରିବନାହିଁ । ଏଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଆନ୍ତର୍ଜାତିକ ସଂସ୍ଥାମାନେ ଗୁରୁତ୍ୱ ଦେବାକୁ ପରିବେଶବିତ୍‌ଙ୍କ ଠାରୁ ଆରମ୍ଭ କରି ଚିଲିକାର ମତ୍ସ୍ୟଜୀବୀ ପର୍ଯ୍ୟନ୍ତ ବିଭିନ୍ନ ମହଲ ଦାବି କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *