ସ୍ୱାଭାବିକ ହେବ ମୌସୁମୀ ବର୍ଷା

ତାତି ଭିତରେ ଆଇଏମ୍ଡିର ଆଶ୍ୱସ୍ତି
ନୂଆଦିଲ୍ଲୀ, ୧୧ା୪: ଏଲ୍ ନିନୋ ସତ୍ତ୍ୱେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ମଙ୍ଗଳବାର ଆଇଏମ୍ଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର (୯୬ ପ୍ରତିଶତ) ବର୍ଷା ହେବ ଯାହାକି ସ୍ୱାଭାବିକ ବର୍ଷା । ୯୬%ରୁ +/- ୫ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ । ତେବେ ସୁମୀ କେବେ ପ୍ରବେଶ କରିବ ଓ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେ କଥା ଆଇଏମ୍ଡି ଏବେ କହିନାହିଁ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଇଏମ୍ଡି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ।ଶ୍ରୀ ମହାପାତ୍ର କହିଛନ୍ତି ସବୁ ଏଲ୍ନିନୋ ବର୍ଷରେ ମୌସୁମୀ ପ୍ରଭାବିତ ହୁଏ ନାହିଁ । ୧୯୫୧ରୁ ୨୦୨୨ ଭିତରେ ଯେତେ ଏଲ୍ନିନୋ ବର୍ଷ ଦେଖା ଦେଇଥିଲା, ସେଥିରୁ ୪୦ ପ୍ରତିଶତ ବର୍ଷରେ ସ୍ୱାଭାବିକ ଓ ତା’ଠାରୁ ଅଧିକ ମୌସୁମୀ ବର୍ଷା ହୋଇଥିବାର ନଜିର ରହିଛି । ସୌମୁମୀ ଋତୁରେ ସକାରାତ୍ମକ ଇଣ୍ଡିଆ ଓସେନ୍ ଡାଇପୋଲ୍ (ଆଇଓଡି) ସମ୍ଭାବନା ଥିବାରୁ ଉତ୍ତର ଗୋଲାର୍ଦ୍ଧ ତଥା ୟୁୂରେସିଆରେ ୨୦୨୨ ଡିସେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବରଫ ଆସ୍ତରଣ ସ୍ୱାଭାବିକରୁ କମ୍ ରହିଥିବାରୁ ଆଇଓଡିର ସକାରାତ୍ମକ ପ୍ରଭାବ ପଡିବା ଆଶା କରାଯାଉଛି । ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗର ଜଳରାଶି ଉତ୍ତପ୍ତ ହେଲେ ଏଲ୍ ଲିନୋ ସ୍ଥିତି ଉପୁଜିଥାଏ । ଏହି ସବୁ କାରଣରୁ ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବାର ୬୭ ପ୍ରତିଶତ ସମ୍ଭାବନା ରହିଛି ।
ସାରା ଦେଶରେ ସ୍ୱାଭାବିକ ବର୍ଷାର ଆକଳନ ହୋଇଥିଲେ ମଧ୍ୟ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି । ମୌସୁମୀ ବର୍ଷାର ପ୍ରଭାବ ଏଲ୍ ନିନୋ ଉପରେ ନର୍ଭର କରିଥାଏ । ଏଲ୍ ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ୍ ହୋଇଥାଏ । ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ୍ ନିନୋର ପ୍ରଭାବ ପଡ଼ିବ, ତେବେ ମରୁଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ଗତ ବର୍ଷ ଅତ୍ୟଧିକ ଖରା ଯୋଗୁଁ ଫସଲ ପ୍ରଭାବିତ ହୋଇଥିଲା ।
ଯଦି ଏଲ୍ ନିନୋର ପ୍ରଭାବ ମୌସୁମୀର ଦ୍ୱିତୀୟ ଭାଗରେ ଶକ୍ତିଶାଳୀ ହେବ, ତା’ହେଲେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାମ ପ୍ରଭାବିତ ହେବ ।
ସୋମବାର ଭାରତୀୟ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୨୦୨୩ ବର୍ଷର ମୌସୁମୀ ପାଇଁ ପୂର୍ବାନୁମାନ ଜାରି କରି କହିଥିଲା, ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ ଓ ସ୍ୱାଭାବିକଠାରୁ କମ ବର୍ଷା ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *