ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ତାତି

ଭୁବନେଶ୍ୱର/ଝାରସୁଗୁଡ଼ା/ବାରିପଦା, ୧ଠା୪ (ବୁ୍ୟରୋ/ଆପ୍ର): ଗ୍ରୀଷ୍ମ ଋତୁ ଆରମ୍ଭରୁ ରାଜ୍ୟରେ ତାତି ଅସମ୍ଭାଳ ହେଲାଣି । ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢ଼ିବା ଯୋଗୁ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି । ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜ୍ୟବାସୀ । ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ମୁଣ୍ଡଫଟା ଖରାର ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡାରେ ସୋମବାର ଦିନର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ଛୁଇଁଥିବାବେଳେ ବାରିପଦାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ତାପ ଜନଜୀବନ ସହ ଜୀବଜନ୍ତୁଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରିଛି । ଦିନ ୧୧ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ତେବେ ଆଗକୁ ଦିନ ତାପମାତ୍ରା ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପଟେ ରୌଦ୍ର ତାପକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଜରୁରୀ କାମ ନ ଥିଲେ ଦିନ ୧୧ଟା ପରେ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଅଂଶୁଘାତର ତକ୍ରାଳ ଚିକିତ୍ସା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ସୋମବାର ରାଜ୍ୟର ୧୧ ସହରର ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଛି । ସେହି ସହରଗୁଡିକ ହେଲା ଭୁବନେଶ୍ୱର (୩୯.୭), ଜଗତସିଂହପୁର, ଭଦ୍ରକ, ବୌଦ୍ଧ, ସୋନପୁର, ମାଲକାନାଗିରି, ଟିଟିଲାଗଡ, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, କଟକ ଓ ଚାନ୍ଦବାଲି । ଦିନର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଏମିତି ପାଗକୁ ଆଗକୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏବଂ ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପାମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *