ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ
ସୁପ୍ରିମ୍କୋର୍ଟ ଗଢ଼ିଲେ ଉଚ୍ଚସ୍ତରୀୟ କମିଟିନୂଆଦିଲ୍ଲୀ, ୧ଠା୪: ସୁପ୍ରିମ୍କୋର୍ଟ ସୋମବାର ଏକ ବଡ ଘଟଣାକ୍ରମରେ ଦେଶର ସବୁ ଓକିଲଙ୍କ ଡିଗ୍ରୀ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । କେବଳ ଡିଗ୍ରୀ ନୁହେଁ, ଏନ୍ରୋଲ୍ମେଣ୍ଟ ସାର୍ଟିଫିକେଟ୍ ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯିବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢାଯିବ । ଯାହାର ଅଧ୍ୟକ୍ଷତାରେ କରିବେ ଶୀର୍ଷ ଅଦାଲତର ପୂର୍ବତନ ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପିଏସ୍ ନରସିଂହା ଓ ଜଷ୍ଟିସ୍ ଜେବି ପାରଦୀୱାଲାଙ୍କ ପୀଠ ସବୁ ରାଜ୍ୟ ବାର୍ କାଉନ୍ସିଲ୍କୁ ଏହି ମର୍ମରେ ଆଦେଶ ଦେଇଛନ୍ତି । ଭାରତୀୟ ବାର୍ କାଉନ୍ସିଲ୍ (ବିସିଆଇ)ର ଏକ ଆଦେଶକୁ ଚାଲେଞ୍ଜ
କରିଥିବା ଆଡ୍ଭୋକେଟ୍ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ପିଟିସନ୍ ଆଧାରରେ ଏହି ଆଦେଶ ଦିଆଯାଇଛି । ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତାଙ୍କ ଛଡା ଯାଞ୍ଚ କମିଟିରେ ରହିବେ ଏହ୍ଲାବାଦ୍ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଅରୁଣ ଟଣ୍ଡନ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍, ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଓ ମନୀନ୍ଦର ସିଂହ ଏବଂ ବିସିଆଇ ଦ୍ୱାରା ମନୋନୀତ ୩ ସଦସ୍ୟ । ସବୁ ବିଶ୍ୱବିଦ୍ୟାଳୟ ଓ ପରୀକ୍ଷା ବୋର୍ଡ ବିନା ଫି’ରେ ଡିଗ୍ରୀ ସମ୍ବନ୍ଧୀୟ ସୂଚନା ଅବିଳମ୍ବେ ଦେବେ । ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ବିସିଆଇ ଓକିଲଙ୍କ ସାର୍ଟିଫିକେଟ୍ ଓ ପ୍ଲେସ୍ ଅଫ୍ ପ୍ରାକ୍ଟିସ୍ ନିୟମ ଆଣିଥିଲେ । କିନ୍ତୁ ଏହି ପ୍ରକ୍ରିୟାକୁ ବିଭିନ୍ନ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।