ସ୍କାଏମେଟ୍ର ଆକଳନ
ଏ ବର୍ଷ କମ୍ ବର୍ଷା
ଭୁବନେଶ୍ୱର, ୧ଠା୪ (ବୁ୍ୟରୋ): ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ, ସ୍ୱାଭାବିକଠାରୁ କମ ବର୍ଷା ହେବ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୨୦୨୩ ବର୍ଷର ମୌସୁମୀ ପାଇଁ ପୂର୍ବାନୁମାନ ଜାରି କରିଛି । ସ୍କାଏମେଟ୍ର ଜାନୁଆରୀ ୪ ତାରିଖ ପୂର୍ବାନୁମାନରେ ୨୦୨୩ ମୌସୁମୀ ହାରାହାରିଠାରୁ କମ ରହିବ ବୋଲି ଆକଳନ କରିଥିଲା ଏବଂ ଏବେ ତାହାକୁ ବଜାୟ ରଖିଛି ।
ଭାରତର ପ୍ରଥମ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୱେଦର ସର୍ଭିସେସ୍ ପ୍ରା. ଲି.ର ପ୍ରତିଷ୍ଠାତା ତଥା ପରିଚାଳନା ନିଦେ୍ର୍ଦଶକ ଯତୀନ୍ ସିଂହ ଏକ ବିବୃତିରେ କହିଛନ୍ତି, ଜୁନ୍ରୁ ସେପ୍ଟେମ୍ବର ୪ ମାସରେ ହରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ହୋଇଥାଏ । ତାହା ଏ ବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% ବୃଷ୍ଟିପାତ ସମ୍ଭାବନା ରହିଛି । ଏଲ୍ ନିନୋ ଉପୁଜିବା ଆଶଙ୍କା ଥିବାରୁ ବର୍ଷା ପରିମାଣ ହ୍ରାସ ପାଇବ । ସାଧାରଣତଃ ଏଲ୍ ନିନୋ ସୃଷ୍ଟି ହେଲେ ମୌସୁମୀ ପ୍ରଭାବିତ ହୋଇ ଏସିଆ ମହାଦେଶର ଜଳବାୟୁ ଉଷ୍ମ ହୁଏ ।
ଟି୍ରପଲ-ଡି-ଲା ନିନା କାରଣରୁ ଗତ ୪ବର୍ଷ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ଜନିତ ବୃଷ୍ଟିପାତ ସ୍ୱାଭାବିକ ବା ତାଠାରୁ ଅଧିକ ହୋଇଆସିଛି । ଏବେ ଲା ନିନା ଶେଷ ହୋଇ ଏଲ୍ ନିନୋ ସୃଷ୍ଟି ହେବାର ସୂଚନା ମିଳିଛି । ମୌସୁମୀ ସମୟରେ ଏଲ୍ ନିନୋର ଅଧିକ ପ୍ରଭାବ ରହିଲେ ମୌସୁମୀ ଦୁର୍ବଳ ହୁଏ । ମୌସୁମୀ ଆଗମନରେ ଅନିୟମିତତା ସୃଷ୍ଟି ହୋଇ ବୃଷ୍ଟିପାତ କମ୍ ହୋଇଥାଏ । ଏଲ୍ ନିନୋ ଯୋଗୁଁ ଏବର୍ଷ ୬ ପ୍ରତିଶତ କମ୍ ବୃଷ୍ଟିପାତ ହୋଇପାରେ ।
ସ୍କାଏମେଟ୍ ପୂର୍ବାନୁମାନରେ କୁହାଯାଇଛି ଯେ ମୌସୁମୀ ଋତୁର ପ୍ରଥମ ଦୁଇ ମାସରେ ନିଅଣ୍ଟିଆ ବର୍ଷା ପରିମାଣ ସାମାନ୍ୟ ରହିବ । କିନ୍ତୁ ଶେଷ ଦୁଇ ମାସ ଅର୍ଥାତ ଅଗଷ୍ଟ ଓ ସେପ୍ଟେମ୍ବରରେ ନିଅଣ୍ଟ ବର୍ଷା ପରିମାଣ ବଢ଼ିବ । ଦେଶର ଅନ୍ୟ ଅଞ୍ଚଳ ଅପେକ୍ଷା ଉତ୍ତର ଓ ମଧ୍ୟ ଭାରତରେ ବର୍ଷା ନିଅଣ୍ଟ ପରିମାଣ ଅଧିକ ହେବ । ଲଙ୍ଗ୍ ପିରିୟଡ୍ ଆଭରେଜ୍ (ଏଲ୍ପିଏ) ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକ ବର୍ଷା କୁହାଯାଇଥାଏ । ଏଲ୍ପିଏ ୧୦୪ରୁ ୧୧୦ ପ୍ରତିଶତ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକରୁ ଅଧିକ ବୃଷ୍ଟିପାତ କୁହାଯାଏ । ବର୍ଷା ପରିମାଣ ୯୦ରୁ ୯୬ ପ୍ରତିଶତ ମଧ୍ୟରେ ରହିଲେ ତାହା ସ୍ୱାଭାବିକରୁ କମ୍ ବୋଲି କୁହାଯାଏ । ୯୦ ପ୍ରତିଶତରୁ କମିଗଲେ ମରିଡି ପରିସ୍ଥିତି ଉପୁଜିଥାଏ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏପର୍ଯ୍ୟନ୍ତ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିନାହିଁ ।