ଲକ୍ଷ୍ନୌକୁ ୨୧୩ ରନ୍ର ଟାର୍ଗେଟ୍

ପୂରନଙ୍କ ସିଜନ୍ର ଦ୍ରୁତତମ ଅର୍ଦ୍ଧଶତକ
ବେଙ୍ଗାଲୁରୁ,୧୦ା୪ (ଏଜେନ୍ସି): ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆଇପିଏଲ୍ର ୧୫ତମ ମ୍ୟାଚ୍ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯାଇଥିବା ବେଳେ ବାଙ୍ଗାଲୋର୍ ଲକ୍ଷ୍ନୌ ଟିମ୍କୁ ୨୧୩ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ଲକ୍ଷ୍ନୌ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଜବାବରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୨ ଓଭର୍ରେ ୫ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା । ଆୟୁଷ ବଦୋନୀ ଓ ନିକୋଲାସ୍ ପୁରନ୍ କି୍ରଜ୍ରେ ଉପସ୍ଥିତ ଥିଲେ ।
୨୧୩ ରନ୍ର ଲକ୍ଷ୍ୟ ହାସଲ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଲକ୍ଷ୍ନୌର ଆରମ୍ଭ ଇନିଂସ୍ ଅତ୍ୟନ୍ତ ଖରାପ ଥିଲା । କାରଣ ଏକ ରନ୍ ସ୍କୋର୍ କରି ଦଳର ପ୍ରଥମ ୱିକେଟ୍ ଯାଇଥିଲା । ଅଧିନାୟକ କେଏଲ୍ ରାହୁଲ ଓ କାୟେଲ ମେୟର୍ସ ପଡ଼ିଆକୁ ଓହ୍ଲାଇଥିଲେ । ମେୟର୍ସ ବିନା କିଛି ରନ୍ରେ ଆଉଟ୍ ହୋଇଗଲେ । ମହମ୍ମଦ ସିରାଜ୍ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ୨୩ ରନ୍ ସ୍କୋର୍ ପରେ ଦଳକୁ ଦ୍ୱିତୀୟ ୱିକେଟ୍ ହରାଇବାକୁ ପଡ଼ିଥିଲା । ଦୀପକ ହୁଡ୍ଡା ୯ ରନ୍ ହାସଲ କରି ଆଉଟ୍ ହେବା ପରେ ପରେ କୃଣାଲ ପାଣ୍ଡ୍ୟା ବିନା କିଛି ରନ୍ରେ ଆଉଟ୍ ହୋଇଗଲେ । ଷ୍ଟୋଇନିସ୍ ୩୦ ବଲ୍ରେ ୬୫ ରନ୍ କରିଥିବାବେଳେ ରାହୁଲ ୨୦ ବଲ୍ରେ ୧୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଗଲେ ।
ଏହା ପୂର୍ବରୁ ବ୍ୟାଟିଂ ଆରମ୍ଭ କରିଥିବା ବାଙ୍ଗାଲୋରର ବିରାଟ କୋହଲି ଏବଂ ଫାଫ୍ ଡୁପ୍ଲେସି ଇନିଂସ୍ ଆରମ୍ଭ କରିଥିଲେ । କୋହଲି ଏହି କ୍ରମରେ ବିସ୍ଫୋଟକ ବ୍ୟାଟିଂ ଆରମ୍ଭ କରି ବଡ଼ ବଡ଼ ସଟ୍ ଖେଳିଥିଲେ । ୬ ଓଭର୍ରେ ଟିମ୍ କୌଣସି ୱିକେଟ୍ ନହରାଇ ୫୬ ରନ୍ ସଂଗ୍ରହ କରିଥିଲା । ପରେ କୋହଲି ୩୫ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଚଳିତ ସିଜନ୍ରେ ୩ୟ ମ୍ୟାଚ୍ରେ ସେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ କରିପାରିଛନ୍ତି । ତେବେ ୪୪ ବଲ୍ରେ ୬୧ ରନ୍ କରି ଅମିତ୍ ମିଶ୍ରାଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ।
କୋହଲି ଓ ଡୁପ୍ଲେସି ପାୱାର ପ୍ଲେ’ ଜରିଆରେ ଖୁବ୍ ଭଲ ଇନିଂସ୍ ଆରମ୍ଭ କରିଥିଲେ । ଉଭୟେ ମିଳିତ ଭାବେ ୬୯ ବଲ୍ରେ ୯୬ ରନ୍ର ପାର୍ଟନରସିପ୍ କରିଥିଲେ । ବିରାଟଙ୍କ ୱିକେଟ୍ ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଅମିତ୍ ମିଶ୍ରା ଓ ରବି ବିଶ୍ରୋଇଙ୍କ ବଲ୍ରେ ବଡ଼ ସର୍ଟ୍ସ ମାରିଥିଲେ । ୧୯ତମ ଓଭର୍ରେ ଆବେଶଙ୍କ ବଲ୍ରେ ଲଗାତାର ଛକା ମାରି ୨୪ ବଲ୍ରେ ନିଜର ଅର୍ଦ୍ଧଶତକ କରିଥିଲେ । ମ୍ୟାକ୍ସୱେଲ୍ ୨୯ ବଲ୍ରେ ୫୯ ରନ୍ କରି ମାର୍କ ଉଡ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ ।
ମାତ୍ର ଡୁପ୍ଲେସି ଓ ମ୍ୟାକ୍ସୱେଲ୍ ମିଳିତ ଭାବେ ୧୯ତମ ଓଭର୍ରେ ଦଳର ସ୍କୋର୍ ୨୦୦ ରନ୍ ପାର୍ କରିଥିଲେ । ମ୍ୟାକ୍ସୱେଲ୍ ୨୦ ଓଭର୍ରେ ଆଉଟ୍ ହୋଇଥିବାବେଳେ ଉଭୟ ମାତ୍ର ୫୦ ବଲ୍ରେ ୧୧୫ ରନ୍ କରିଥିଲେ । ପରେ ପରେ ଦିନେଶ କାର୍ତ୍ତିକ ୧ ରନ୍ କରି ନଟ୍ଆଉଟ୍ ରହିଥିଲେ । ବାଙ୍ଗାଲୋର ଦଳ ୨୩ ଥର ଦ୍ୱିଶତକରୁ ଉଦ୍ଧ୍ୱର୍ ସ୍କୋର୍ କରିଛନ୍ତି । ଧୋନିଙ୍କ ଅଧିନାୟକତ୍ୱ ଚେନ୍ନାଇ ୨୪ ଥର ଏପରି ସ୍କୋର୍ କରିସାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *