ଆପ୍କୁ ରାଷ୍ଟ୍ରୀୟ ଦଳ ମାନ୍ୟତା
ଟିଏମ୍ସି, ସିପିଆଇ ଓ ଏନ୍ସିପି ଠାରୁ ପ୍ରତ୍ୟାହାର
ନୂଆଦିଲ୍ଲୀ, ୧ଠା୪: ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ରାଷ୍ଟ୍ରୀୟ ଦଳ ମାନ୍ୟତା ମିଳିଛି । ନିର୍ବାଚନ ଆୟୋଗ ସୋମବାର ଏକ ଆଦେଶନାମାରେ ଏହା ଉଲ୍ଲେଖ କରିବା ସହ ଦେଶରେ ୬%ରୁ କମ୍ ଭୋଟ୍ ପାଇଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍ସି), ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ଓ ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍ସିପି)ର ରାଷ୍ଟ୍ରୀୟ ଦଳ ମାନ୍ୟତା ପ୍ରତ୍ୟାହୃତ ହେଲା ବୋଲି ଦର୍ଶାଇଛନ୍ତି ।
ଆପ୍ ରାଷ୍ଟ୍ରୀୟ ଦଳ ମାନ୍ୟତା ପାଇବା ଫଳରେ ଏବେ ଦେଶରେ ରାଷ୍ଟ୍ରୀୟ ଦଳ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୪ ରାଷ୍ଟ୍ରୀୟ ଦଳ ହେଲେ- ବିଜେପି, କଂଗ୍ରେସ, ସିପିଆଇ(ଏମ୍), ବହୁଜନ ସମାଜ ପାର୍ଟି (ବିଏସ୍ପି) ଓ ନାସ୍ନାଲ ପିପୁଲ୍ସ ପାର୍ଟି (ଏନ୍ପିପି) ।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଦଳ ମାନ୍ୟତା ପାଇବା ପାଇଁ ଆପ୍ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ୍ ଦେଇଥିଲା । ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ଏପ୍ରିଲ୍ ୧୩ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ନିଦେ୍ର୍ଦଶ ଦେଇଥିଲେ । ସୋମବାର ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ୪ଟି ରାଜ୍ୟ ଯଥା- ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟରେ ଆପ୍ର ସଫଳତା ଦେଖି ଏହି ଦଳକୁ ରାଷ୍ଟ୍ରୀୟ ଦଳ ମାନ୍ୟତା ପ୍ରଦାନ କରାଗଲା ।
ଉତ୍ତର ପ୍ରଦେଶରେ ଆର୍ଏଲ୍ଡି, ଆନ୍ଧ୍ର ପ୍ରଦେଶରେ ବିଆର୍ଏସ୍, ମଣିପୁରରେ ପିଡିଏ, ପୁଡୁଚେରୀରେ ପିଏମ୍କେ, ପଶ୍ଚିମବଙ୍ଗରେ ଆର୍ଏସ୍ପି ଓ ମିଜୋରାମରେ ଏମ୍ପିସିକୁ ଦିଆଯାଇଥିବା ରାଜ୍ୟସ୍ତରୀୟ ଦଳ ମାନ୍ୟତାକୁ ପ୍ରତ୍ୟାହାର କରି ନିଆଗଲା ବୋଲି ଏହି ଆଦେଶନାମାରେ ନିର୍ବାଚନ ଆୟୋଗ ଉଲ୍ଲେଖ କରିଛନ୍ତି । ସେହିପରି ଏନ୍ସିପି ଓ ଟିଏମ୍ସିକୁ ଯଥାକ୍ରମେ ନାଗାଲାଣ୍ଡ ଓ ମେଘାଳୟରେ ଆଉ ରାଜ୍ୟସ୍ତରୀୟ ଦଳ ମାନ୍ୟତା ମିଳିବ ନାହିଁ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଭିତ୍ତିରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । ନାଗାଲାଣ୍ଡରେ ଲୋକଜନଶକ୍ତି ପାର୍ଟି (ରାମବିଳାସ), ମେଘାଳୟରେ ଭଏସ୍ ଅଫ୍ ଦ ପିପୁଲ୍ ପାର୍ଟି ଏବଂ ତ୍ରିପୁରାରେ ତିପ୍ରା ମୋଥାଙ୍କୁ ସ୍ୱୀକୃତ ରାଜ୍ୟସ୍ତରୀୟ ରାଜନୈତିକ ଦଳ ମାନ୍ୟତା ପ୍ରଦାନ କରାଯାଇଛି ।