ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର, ୧୦ା୪(ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ତରୁଣ ପାଣ୍ଡେଙ୍କ ନାମକୁ ଏଆଇସିସି ଅନୁମୋଦନ କରିଛି । ପିସିସି ପକ୍ଷରୁ ୩ ଜଣିଆ ସମ୍ଭାବ୍ୟ ତାଲିକା ଏଆଇସିସି ନିକଟକୁ ପଠାଯାଇଥିଲା । ସମସ୍ତ ଦିଗ ଉପରେ ସମୀକ୍ଷା କରିବା ପରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତରୁଣଙ୍କ ପ୍ରାର୍ଥôତ୍ୱ ଉପରେ ମୋହର ମାରିଛନ୍ତି ।
ତରୁଣ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ । ବୀରେନ୍ଦ୍ର ଏକଦା କଂଗ୍ରେସର ଜଣେ ଲୋକପ୍ରିୟ ଟାଣୁଆ ନେତା ଥିଲେ । ସେ ୧୯୮୦, ୧୯୮୫ ଏବଂ ୧୯୯୫ରେ କଂଗ୍ରେସ ଟିକଟରେ ଝାରସୁଗୁଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ପରେ ଏହି ଆସନରୁ ୨୦୦୯ ଏବଂ ୨୦୧୪ ମସିହାରେ ନବ କିଶୋର ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପୁଣି ନବ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକ ସମୁଦାୟ ୧୮୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ।
ନବ ଦାସଙ୍କ ବିୟୋଗ ଯୋଗୁଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ତରୁଣଙ୍କୁ ପ୍ରାର୍ଥୀ କରି ତାଙ୍କ ବାପାଙ୍କ ଲୋକପ୍ରିୟତାକୁ ଭରସା କରିଛି । ତରୁଣ ଏକଦା ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଥିଲେ । ସେହି ରାଜନୈତିକ ଅଭିଜ୍ଞତା ଆଧାରରେ ଉପନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ତରୁଣ । ଆପର ପକ୍ଷରେ ବିଜେପି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଔପଚାରିକ ଭାବେ ଘୋଷଣା କରାଯାଇନାହିଁ । ତେବେ ଖୁବ୍ଶୀଘ୍ର ବିଜେପି ତା’ର ବିଧାୟକ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ନା ଚୂଡାନ୍ତ ହୋଇଛି । ଉପନିର୍ବାଚନ ତାରିଖ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ନବ ଦାସଙ୍କ ଝିଅ ଦୀପାଳି ଦାସ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥôପତ୍ର ଦାଖଲରେ ଶେଷ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ମେ’ ୧୦ରେ ଭୋଟ୍ ଗ୍ରହଣ ଏବଂ ମେ’୧୩ରେ ଫଳ ପ୍ରକାଶ ପାଇବ । କଂଗ୍ରେସ ଝାରସୁଗୁଡାରୁ ଅନୂ୍ୟନ ୧୦ଥର ଜିଣିଛି ।