ଆଜିଠୁ କୋଭିଡ୍ ମକ୍ ଡ୍ରିଲ୍
ନୂଆଦିଲ୍ଲୀ, ୯ା୪: ଭାରତ ସମେତ ଅନେକ ଦେଶର ପୁଣି ଥରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରବିବାର ସକାଳ ପର୍ଯ୍ୟନ୍ତ ଦେଶରେ ୩୨,୧୮୪ ସକ୍ରିୟ ମାମଲା ରହିଛି । ଏହି ମହାମାରୀ ଆରମ୍ଭ ହେବା ଦିନଠାରୁ, ୫,୩୦,୯୬୫ ଲୋକ ଏହାର ଶିକାର ହୋଇଛନ୍ତି । ବିଶେଷଜ୍ଞଙ୍କ ମତରେ ଏଥର କରୋନା ସଂକ୍ରମଣ ସଂଖ୍ୟା ଦିନେ ଦୁଇଦିନ ଭିତରେ ଦୁଇଗୁଣ ହେଉ ନ ଥିଲେହେଁ ନୂଆ ଲକ୍ଷଣ ସହ ଆସିଛି । ଲୋକଙ୍କ ଗଳାରେ ଗୁରୁତର ସଂକ୍ରମଣ ଦେଖାଦେଉଛି । ସୁସ୍ଥ ହେବାକୁ ଲାଗୁଛି ୧୦ରୁ ୧୪ ଦିନ । ଦୁଇରୁ ତିନି ସପ୍ତାହ ଭିତରେ ସଂକ୍ରମଣ ସଂଖ୍ୟା କମିପାରେ । ଏହି ପରିିସ୍ଥିତିରେ ତିନୋଟି ରାଜ୍ୟ ଯଥା ହରିଆଣା, କେରଳ ଓ ପୁଡ଼ୁଚେରିରେ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସୋମ ଓ ମଙ୍ଗଳବାର ଦେଶର ସବୁ ହସ୍ପିଟାଲ୍ରେ ମକ୍ ଡ୍ରିଲ୍ ହେବ ।
ଆମେରିକାର ବୈଜ୍ଞାନିକମାନେ ଏପରି ଆଣ୍ଟିବଡି ଆବିଷ୍କାର କରିଛନ୍ତି ଯାହା ଓମିକ୍ରନ୍ ସମେତ କରୋନାର ସମସ୍ତ ଭାରିଏଣ୍ଟ ଉପରେ ବ୍ରେକ୍ ଲଗାଇବାରେ ସକ୍ଷମ ହେବ । ଏହି ଆଣ୍ଟିବଡି କରୋନା ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଟିକା ତିଆରି କରିବାରେ ବ୍ୟବହୃତ ହେବା ସହ ପାରମ୍ପରିକ ଆଣ୍ଟିବଡି ଆଧାରିତ ଚିକିତ୍ସା ପାଇଁ ଉତ୍ତମ ବିକଳ୍ପ ହେବ । ନୂଆ ଆଣ୍ଟିବଡି ଚିହ୍ନଟ ପରେ, ଅଧିକ ପ୍ରଭାବଶାଳୀ ଟିକା ଏବଂ ଏହାର ଆଣ୍ଟିବଡି ଆଧାରିତ ନୂଆ ଚିକିତ୍ସା ପାଇଁ ବାଟ ଖୋଲିବା ସମ୍ଭାବନା ବଢିଛି ।
ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଇନଭେଷ୍ଟିଗେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୋଗୀଙ୍କ ରକ୍ତ ନମୁନାରୁ ନିଆଯାଇଥିବା ଆଣ୍ଟିବଡିଗୁଡ଼ିକ ମହାମାରୀ ସମୟରେ ବିଭିନ୍ନ ଭାରିଏଣ୍ଟ ବିରୁଦ୍ଧରେ ପରୀକ୍ଷା କରାଯାଇଛି । ଏଥିରେଏସ୍୭୨୮-୧୧୫୭ ନାମକ ଏକ ପ୍ରୋଟିନ୍ ମିଳିଛି ଯାହା କେବଳ କୋଭିଡ-୧୯ ପୁରୁଣା ଭାରିଆଣ୍ଟ ବିରୁଦ୍ଧରେ ନୁହେଁ, ଓମିକ୍ରନର ସାତଟି ଭିନ୍ନ ଭାରିଏଣ୍ଟ ଉପରେ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ।