କୋଲକାତାର ଅପ୍ରତ୍ୟାଶିତ ବିଜୟ

ଆଇପିଏଲ୍-୧୬
ଅହମଦାବାଦ, ୯ା୪ (ଏଜେନ୍ସି): ଶେଷ ଓଭର୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଜିତିବା ପାଇଁ ଆବଶ୍ୟକ ଥିଲା ୨୯ ରନ୍ । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ନୀତୀଶ ରାଣାଙ୍କ ଟିମ୍ର ବିଜୟ ଆଶା କମ୍ ଥିଲା । ବୋଲିଂ କରୁଥିଲେ ଯଶ ଦୟାଲ୍ । ପ୍ରଥମ ବଲ୍ରେ ଉମେଶ ଯାଦବ ୧ ରନ୍ ନେଇଥିଲେ । ଏହାପରେ ରିଙ୍କୁ ସିଂହ ଲଗାତାର ପାଞ୍ଚ ଛକା ମାରି ଟିମ୍କୁ ଅପ୍ରତ୍ୟାଶିତ ବିଜୟ ଦେଇଥିଲେ । ଆଇପିଏଲ୍ ଇତିହାସରେ ପ୍ରଥମ ଥର କୌଣସି ଟିମ୍ ଶେଷ ୫ ବଲ୍ରେ ୫ ଛକା ମାରିଥିଲା ।
ରବିବାର ଚଳିତ ସିଜନ୍ର ୧୩ତମ ମ୍ୟାଚ୍ରେ ୨୦୫ ରନ୍ର ଆହ୍ୱାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଦେବା ସତ୍ତ୍ୱେ ୩ ୱିକେଟ୍ରେ ହାରିଥିଲା ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । କୋଲକାତାର ଏହା ତୃତୀୟ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଗୁଜରାଟର ପ୍ରଥମ ପରାଜୟ । ଅପରାଜିତ ୪୮ ରନ୍ର ଦ୍ରୁତ ଇନିଂସ୍ ଖେଳିଥିବା ରିଙ୍କୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଥିଲେ । ଏହି ମ୍ୟାଚ୍ର ଅନ୍ୟତମ ଆକର୍ଷଣ ଥିଲେ ଲେଗ୍ ସ୍ପିନର୍ ରଶିଦ୍ ଖାନ୍, ଯିଏକି ହାଟ୍ରିକ୍ ଅର୍ଜନ କରିଥିଲେ ।
ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅସୁସ୍ଥ ଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ଗୁଜରାଟର ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ରଶିଦ୍ ଖାନ୍ ଟିମ୍ର ନେତୃତ୍ୱ ନେଇଥିଲେ । ଅନ୍ୟପଟେ, ମନ୍ଦୀପ ଓ ଟିମ୍ ସାଉଦୀଙ୍କ ସ୍ଥାନରେ ନାରାୟଣ ଜଗଦୀଶନ ୍ଓ ସୁୟଶା ଶର୍ମା କୋଲକାତାର ଚୂଡ଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ ।
କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୦୭ ରନ୍ କରି ବିଜୟୀ ହୋଇଥିଲା । ଟିମ୍ର ଆରମ୍ଭ ଭଲ ନ ଥିଲା । ରହମାନୁଲ୍ଲା ଗୁର୍ବାଜ ୧୫ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍ରେ ଓ ଜଗଦୀଶନ୍ ୬ ରନ୍ କରି ଜୋଶ୍ ଲିଟିଲ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୨୮ ରନ୍ରେ ଦୁଇ ଓପନର୍୍ଙ୍କ ୱିକେଟ୍ ପଡ଼ିବା ପରେ ଭେଙ୍କଟେଶ ଆୟର ଓ ଅଧିନାୟକ ରାଣା ମିଶି ଇନିଂସ୍ ସମ୍ଭାଳିଥିଲେ । ତୃତୀୟ ୱିକେଟ୍ ପାଇଁ ୧୦୦ ରନ୍ର ଭାଗୀଦାରୀ ହୋଇଥିଲା ।
୧୪ତମ ଓଭର୍ରେ ନୀତୀଶ (୨୯ ବଲ୍ରୁ ୪୫)ଙ୍କୁ ଆଉଟ୍ କରି ଅଲଜାରୀ ଜୋସେଫ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଭେଙ୍କଟେଶଙ୍କ ଦୃଢ଼ ଇନିଂସ୍ର ବି ଅନ୍ତ ଘଟାଇଥିଲେ ଜୋସେଫ୍ । ଏହାର ପର (୧୭ତମ) ଓଭର୍ରେ କ୍ରମାଗତ ବଲ୍ରେ ଆନେ୍ଦ୍ର ରସେଲ୍ (୧), ସୁନୀଲ ନରେନ୍ (୦) ଓ ଶାର୍ଦ୍ଦୂଳ ଠାକୁର (୦)ଙ୍କୁ ପାଭିଲିଅନ୍ ପଠାଇ ରଶିଦ ଟିମ୍ର ବିଜୟ-ଆଶା ବଢ଼ାଇ ଦେଇଥିଲେ ।
୧୫୫ ରନ୍ ମଧ୍ୟରେ ଟିମ୍ ୭ ୱିକେଟ୍ ହରାଇଥିଲା । ଏହାପରେ ରିଙ୍କୁ ସିଂହ ଧୂଅାଁଦାର ବ୍ୟାଟିଂ କରି ଟିମ୍କୁ ଜିତାଇଥିଲେ । ରିଙ୍କୁ ୨୧ ବଲ୍ରୁ ୧ ଚୌକା ଓ ୬ ଛକା ସହାୟତାରେ ୪୮ ଏବଂ ଉମେଶ ଯାଦବ ୫ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଗୁଜରାଟ ଟିମ୍ ଧାର୍ଯ୍ୟ ଓଭର୍ରେ ୪ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ବିଜୟ ୨୪ ବଲ୍ରୁ ୪ ଚୌକା ଓ ୫ ଛକା ସହାୟତାରେ ସର୍ବାଧିକ ୬୩ ଓ ଡେଭିଡ୍ ମିଲର୍ ୨ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ସୁଦର୍ଶନ ୩୮ ବଲ୍ରୁ ୫୩, ଶୁଭମନ ଗିଲ୍ ୩୯, ରିଦ୍ଧିମାନ୍ ସାହା ୧୭, ଅଭିନବ ମନୋହର ୧୪ ରନ୍ର ଇନିଂସ୍ ଖେଳିଥିଲେ । ବିଜୟଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଇନିଂସ୍ ୨୦୦ ଅତିକ୍ରମ କରିପାରିଥିଲା । ବିପକ୍ଷ ବୋଲର୍ ନରେନ୍ ୩ ଓ ସୂୟାଶ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *