୧୧ରୁ ବଢ଼ିବ ତାତି
ଭୁବନେଶ୍ୱର/ନୂଆଦିଲ୍ଲୀ, ୯ ।୪ (ବୁ୍ୟରୋ): ଏଣିକି ବର୍ଷା ନୁହେଁ । ଡହ ଡହ ଖରାରେ କଲବଲ ହେବ ଓଡ଼ିଶା । ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଲଗାତାର ବଢ଼ିବ ତାପମାତ୍ରା । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ପାରା । କିଛି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ବର୍ଷା ହେବ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରି କହିଛି, ଆଗାମୀ ୩ରୁ ୫ ଦିନରେ ଦେଶର ଅଧିକାଂଶ ଇଲାକାରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ ।
କାଳବୈଶାଖୀ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଜିଲ୍ଲାରେ କାଳବୈଶାଖୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଏହି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଉକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୁରଭଞ୍ଜ । ଏହି ଜିଲ୍ଲାମାନଙ୍କ ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ହେବ । ଏଥି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ହୋଇପାରେ ।
ସେହିପରି ୧୧ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝର । ତେବେ ୧୧ ତାରିଖରୁ ରାଜ୍ୟରେ କାଳବେଶାଖୀର ପ୍ରଭାବ କମିବ । ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣଇପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।