ବିଜେଡି ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ
ଭୁବନେଶ୍ୱର, ୯ା୪ (ବୁ୍ୟରୋ): ଓଡ଼ିଶାର ଶାସକ ଦଳ ବିଜେଡି ଦେଶରେ ଦ୍ୱିତୀୟ ଧନୀ ଏବଂ ଆୟରେ ସର୍ବାଧିକ ଅଭିବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ । ଯାହାର ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ । ଅର୍ଥାତ ୩୬ ଆଞ୍ଚଳିକ ଦଳଙ୍କ ସମୁଦାୟ ଆୟ ୧୨୧୩.୧୩୨ କୋଟି ହୋଇଥିବା ବେଳେ ଏଥିରୁ ବିଜେଡିର କେବଳ ୩୦୭.୨୮୮ କୋଟି । ନିର୍ବାଚନ, ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ୨୦୨୧ ମସିହାରେ ଦଳ ୨୮.୬୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ୯୦.୬୮ ପ୍ରତିଶତ ଅର୍ଥାତ ୨୭୮.୬୫୮ କୋଟି ଟଙ୍କା ବଳକା ରହିଛି । ଦଳକୁ ୯୪.୦୭ ପ୍ରତିଶତ ଅର୍ଥାତ୍ ୨୯୧ କୋଟି ଗ୍ରାଣ୍ଟ, ଡୋନେସନ ଏବଂ କଣ୍ଟ୍ରିବୁ୍ୟସନ ଜରିଆରେ ମିଳିଛି । ୧୬.୧୭୬ କୋଟି ଟଙ୍କା ବ୍ୟାଙ୍କ ସୁଧ, ୦.୦୧୬ କୋଟି ବିଭିନ୍ନ ପ୍ରକାର ଫି’ ଏବଂ ୦.୦୯୬ କୋଟି ଟଙ୍କା ଅନ୍ୟ ସୂତ୍ରରୁ ମିଳିଛି ।
ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟ ଘୋଷଣା ପାଇଁ ନିଦେ୍ର୍ଦଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ୨୦ଟି ଆଞ୍ଚଳିକ ରାଜନୈତିକ ଦଳ ଅଡିଟ୍ ରିପୋର୍ଟ ଦାଖଲ କରିଥିଲେ । ୨୦୨୧-୨୨ ମହାମାରୀ ସମୟର ଘୋଷିତ ଆୟ-ବ୍ୟୟ ତାଲିକା ସମୀକ୍ଷା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସାମାଜିକ ସଙ୍ଗଠନ ଆସୋସିଏଟ୍ ଅଫ ଡେମୋକ୍ରେଟିକ ରିଫର୍ମ (ଏଡିଆର) ।
ରିପୋର୍ଟ କହୁଛି ଯେ ୩୧୮.୭୪୫ କୋଟି ଟଙ୍କା ଆୟ ସହିତ ତାମିଲନାଡୁର ଶାସକ ଦଳ ଡିଏମକେ ପ୍ରଥମ, ୩୦୭.୨୮୮ କୋଟି ଟଙ୍କା ସହିତ ବିଜେଡି ଦ୍ୱିତୀୟ, ୨୧୮.୧୧୨ କୋଟି ଟଙ୍କା ଆୟ ସହିତ ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍ ତୃତୀୟ, ଆନ୍ଧ୍ର ପ୍ରଦେଶର ଶାସକ ଦଳ ୱାଇଏସଆର କଂଗ୍ରେସ ଚତୁର୍ଥ (୯୩.୭୨୪ କୋଟି), ବିହାରର ଶାସକ ଦଳ ଜେଡିୟୁ (୮୬.୫୫୫ କୋଟି) ପଞ୍ଚମ ସ୍ଥାନରେ ରହିଛି । ଏହି ୫ଟି ଆଞ୍ଚଳିକ ଶାସକ ଦଳଙ୍କ ଆୟ ସମସ୍ତ ୩୬ ଆଞ୍ଚଳିକ ଦଳଙ୍କ ଆୟର ୮୪.୪୪ ପ୍ରତିଶତ ।
ଧନୀ ତାଲିକାରେ ଉତ୍ତର ପ୍ରଦେଶର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (୬୧.୦୧୧ କୋଟି) ଷଷ୍ଠ, ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଆମ୍ ଆଦମୀ ପାର୍ଟି (୪୪.୫୩୯ କୋଟି) ସପ୍ତମ ସ୍ଥାନରେ ରହିଛନ୍ତି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପ୍ରତିଷ୍ଠା କରିଥିବା ଜନତା କଂଗ୍ରେସ ଛତିଶଗଡ଼ ଗରିବ ଆଞ୍ଚଳିକ ଦଳ । ୧୮ ଦଳ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରି ନାହାନ୍ତି ।
୧୬ଟି ରାଜନୈତିକ ଦଳ ଆୟ ତାଲିକା ଦାଖଲ କରିବାରେ ୧ରୁ ୯୭ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଥିଲେ । ପ୍ରମୁଖ ରାଜନୈତିକ ଦଳ ଏମଆଇଏମ,
ଶିବସେନା, ଜମ୍ମୁ-କାଶ୍ମୀର ନାସନାଲ କନଫରେନ୍ସ, ଆସାମର ବୋଡୋ ଲାଣ୍ଡ ପିପୁଲ୍ସ ଫ୍ର, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ସେମାନଙ୍କ ଆୟ ଏବଂ ଖର୍ଚ୍ଚ ଘୋଷଣା କରିନାହାନ୍ତି ।
୨୦୨୦ ତୁଳନାରେ ୨୦୨୧ରେ ୩୬ଟି ରାଜନୈତିକ ଆଞ୍ଚଳିକ ଦଳଙ୍କ ଆୟ ୧୧୪.୪୮ ପ୍ରତିଶତ ଅର୍ଥାତ ୬୪୭.୨୮୪ କୋଟି ଟଙ୍କା ବଢ଼ିଛି । ୩୬ରୁ ୨୦ଟି ଦଳଙ୍କ ଆୟ ବଢ଼ିଛି । ଏଥରେ ବିଜେଡିର ସର୍ବାଧିକ ୨୩୩.୯୪୧ କୋଟି, ଟିଆରଏସ୍ର ୧୮୦,୪୫୪ କୋଟି ଏବଂ ଡିଏମ୍କେର ୧୬୮.୭୯୫ କୋଟି ଟଙ୍କା ବଢ଼ିଛି ।
ୱାଇଏସଆର କଂଗ୍ରେସ, ଏଆଇଡିଏମକେ, ଏମ୍ଏନ୍ଏସ୍, ଜେଜେପି, ଆର୍ଜେଡି ଭଳି ୧୫ଟି ଦଳଙ୍କ ଆୟ ହ୍ରାସ ପାଇଛି । ୨୧ଟି ଦଳ ଘୋଷିତ ଆୟର ସବୁ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି । ଡିଏମ୍କେ ୨୮୩.୩୪୪ କୋଟି, ବିଜେଡି ୨୭୮.୬୫୮ କୋଟି, ଟିଆର୍ଏସ୍ର ୧୯୦.୧୭୩ କୋଟି ଟଙ୍କା ବଳକା ପଡ଼ିଛି । ଶିରୋମଣି ଅକାଳି ଦଳ, ଏଆଇଡିଏମ୍କେ, ଟିଡିପି, ଜେଡିଏସ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ସମେତ ୧୫ଟି ଦଳ ଆୟ ତୁଳନାରେ ଅଧିକ ଖର୍ଚ୍ଚ କରିଛନ୍ତି । ତାମିଲନାଡୁର ନାସନାଲ ପ୍ରଗ୍ରେସିଭ ଦ୍ରାବିଡିଆନ ଫେଡେରେସନ ନିଜ ଆୟ ଠାରୁ ୩୦୬୦୩.୭୦ % ଅର୍ଥାତ ୩୩୦୫୨ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛି । ୫୪.୦୧୪ କୋଟି ସହିତ ଟଙ୍କା ଖର୍ଚ୍ଚ କରିବାରେ ସମାଜବାଦୀ ପାର୍ଟି ଆଗୁଆ । ଡିଏମକେ ୩୫.୪୦୧ କୋଟି, ଆପ୍ ୩୦.୨୯୫, ବିଜେଡି ୨୮.୬୩ କୋଟି ଏବଂ ଏଆଇଏଡିଏମକେ ୨୮.୪୩୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।