ଓଡିଶା ଦେଶରେ ସର୍ବୋତ୍ତମ
ଜାତୀୟ ପଞ୍ଚାୟତ ପୁରସ୍କାର
ଭୁବନେଶ୍ୱର/ହିଞ୍ଜିଳିକାଟୁ , ୭ା୪(ବୁ୍ୟରୋ/ଆପ୍ର): ଗଞ୍ଜାମ ଜିଲ୍ଲା ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛି । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’ ଘୋଷଣା ହୋଇଛି । ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ଦେଶର ୬୬୧୨ଟି ପଞ୍ଚାୟତ ସମିତି ମଧ୍ୟରେ ହିଞ୍ଜିଳିକାଟୁ ଶ୍ରେଷ୍ଠ ମନୋନୀତ ହୋଇଛି । ଓଡିଶାକୁ ସର୍ବାଧିକ ୮ଟି ପୁରସ୍କାର ବାବଦରେ ସର୍ବମୋଟ ୧୦.୫୦ କୋଟି ଟଙ୍କା ମିଳିବ । ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ ବୋଲି ଭାରତ ସରକାରଙ୍କ ଆର୍ଥିକ ପରାମର୍ଶଦାତା ଡ. ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’ ଘୋଷଣା ଅନୁଯାୟୀ, ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବରେ ଗଞ୍ଜାମ ଜିଲ୍ଲା ପରିଷଦକୁ ୫ କୋଟି ଟଙ୍କାର ଅର୍ଥରାଶି ମିଳିବ । ସେହିପରି ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ପରୁସ୍କାର ବାବଦକୁ ୨ କୋଟି ଟଙ୍କାର ଅର୍ଥ ରାଶି ସହିତ ମାନପତ୍ର ମିଳିବ । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି । ହିଞ୍ଜିଳି ବ୍ଲକ୍ର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତର ମାନ୍ୟତା ପାଇଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଶାସନ ଅମ୍ବାଗାମ ଦ୍ୱିତୀୟ ଶ୍ର୍ରେଷ୍ଠ ପରିମଳ ଓ ସବୁଜ ପଞ୍ଚାୟତର ମାନ୍ୟତା ହାସଲ କରିଛି । ଏହି ପଞ୍ଚାୟତକୁ ମିଳିବ ୭୫ ଲକ୍ଷ ଟଙ୍କା । ସେହିପରି ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ୍ର କୁଲାଡ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇବ । ପାତ୍ରପୁର ବ୍ଲକ୍ର ଆଙ୍କୁଲି ପଞ୍ଚାୟତ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ବିବେଚିତ ହୋଇଛି ।
ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ, ଜନହିତକର ଯୋଜନାର ସଫଳ କାର୍ଯ୍ୟକାରିତା ଓ ନିରନ୍ତର ବିକାଶ ଫଳରେ ଓଡିଶାକୁ ଏଭଳି ସଫଳତା ମିଳିଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଓଡିଶା ଆଜି ଜାତୀୟ ସ୍ତରରେ ତା’ର ଉକ୍ରର୍ଷ ପ୍ରତିପାଦନ କରିପାରିଛି ।