ଖୋଲିବ ଅତ୍ୟାଧୁନିକ ଜିମ୍ନାଷ୍ଟିକ୍ ସେଣ୍ଟର

ଆର୍ସିଲର ମିତ୍ତଲ ନିପ୍ପନ ଷ୍ଟିଲ୍ ସହ ଏମଓୟୁ
ଭୁବନେଶ୍ୱର, ୭ା୪(ବୁ୍ୟରୋ): ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫର୍ମାନ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ କ୍ରୀଡ଼ା ବିଭାଗ ଓ ଆର୍ସିଲର ମିତ୍ତଲ ନିପ୍ପନ ଷ୍ଟିଲ୍ ମଧ୍ୟରେ ହୋଇଛି ବୁଝାମଣା ପତ୍ର ସ୍ୱାକ୍ଷର । ଆର୍ସିଲର ମିତ୍ତଲ ନିପ୍ପନ ଷ୍ଟିଲ୍ ପ୍ରତିଷ୍ଠା କରିବ ଜିମ୍ନାଷ୍ଟିକ୍ ହାଇପରଫର୍ମାନ୍ସ ସେଣ୍ଟର । ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ।
ଜାପାନର କ୍ୟୋଟୋଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଉପରେ ଥିବା ଫୋକସ୍କୁ ନେଇ ଆଲୋଚନା କରିଥିଲେ । ରେକର୍ଡ ସମୟ ୧୫ ମାସ ମଧ୍ୟରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ୍ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଷୟରେ ମଧ୍ୟ ସେ କହିଥିଲେ । ନିକଟ ଅତୀତରେ କ୍ୟୋଟୋସ୍ଥିତ ଦୋଶିଶା ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ଦଳ କିଟ୍ ବିଶ୍ୱବିଦ୍ୟାଳୟ ଆସିଥିଲେ । ସେମାନେ ଓଡ଼ିଶାରେ ଅନେକ ସମ୍ଭାବନାର ସୁଯୋଗ ଦେଖିବାକୁ ପାଇଥିଲେ । କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅନୁରୂପ ସୁଯୋଗ ରହିଛି । ଜାପାନୀ ପ୍ରତିନିଧି ଦଳ ଓଡିଶା ଆସି ଅନୁଧ୍ୟାନ କରିବାକୁ ତଥା ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କର ନୂଆ ଦିଗ ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ନିବେଶ ପ୍ରସ୍ତାବ ଆସୁଥିବା ବେଳେ ଓଡ଼ିଶାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଆଇଟି ଓ ଆଇଟିଏସ୍ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଫୁଜି ସଫ୍ଟ ଗ୍ରୁପ୍ ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବାକୁ ପ୍ରସ୍ତାବ ଦେଇଛି । ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ଲଜିଷ୍ଟିକ୍ସ ଏବଂ ଷ୍ଟୋରେଜରେ ନିବେଶ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଅନ୍ୟ ଏକ କମ୍ପାନୀ ପ୍ରସ୍ତାବ ଦେଇଛି । ସେହିପରି ଗ୍ରୀନ୍ ଆମୋନିୟା ପରିବହନ ପାଇଁ ପାରାଦୀପ, ଗୋପାଳପୁର, ଧାମରାରେ ନିବେଶ ପ୍ରସ୍ତାବ ମିଳିଛି । ଏହି ଅବସରରେ ଓଡ଼ିଶାରେ ଥିବା ବନ୍ଦରରେ ବର୍ତ୍ତମାନ ଥିବା ବ୍ୟବସ୍ଥା ଓ ଦକ୍ଷତା ସମ୍ପର୍କରେ ଆଲୋଚନା ହୋଇଛି । ଗ୍ରୀନ ଆମୋନିଆ ଓ ହାଇଡ୍ରୋଜେନ ଟ୍ୟାଙ୍କ ଏବଂ ଷ୍ଟୋରେଜ ଫାସିଲିଟି ପାଇଁ ସୁମିଟୋମୋ କର୍ପୋରେସନ ନିବେଶ କରିବ । ସେମାନେ ଗୋପାଳପୁରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ନିବେଶର ରୋଡମ୍ୟାପ ଦେଖେଇବା ସହ ହେବାକୁ ଥିବା ପ୍ରକଳ୍ପ ପ୍ରତି ରାଜ୍ୟ ସରକାରଙ୍କ ସମର୍ଥନ ରହିବ ବୋଲି କହିଛନ୍ତି । ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜମ୍ କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନ-ଓଡିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜି୍ୟକ ସଂପର୍କକୁ ଅଧିକ ସୁଦୃଢ କରିବା ପାଇଁ ଆଲୋଚନା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *