ବଜ୍ର ନେଲା ୩ ମହିଳାଙ୍କ ଜୀବନ
ବାରିପଦା, ୮ା୪ (ଆପ୍ର): କରଞ୍ଜିଆ ଏନ୍ଏସି ଅନ୍ତର୍ଗତ ୧୫ ନଂ ୱାର୍ଡ ଅଙ୍କୁରାରେ ଶନିବାର ଅପରାହ୍ନ ୩ଟାରେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଶନିବାର ସକାଳେ ମୃତୁ୍ୟ ହୋଇଥିଲା । ମୃତୁ୍ୟ ଖବର ପାଇ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସେମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବାରୁ ଗଛମୂଳେ ବସିଥିବା ସୁବାସିନୀ ଦାସ (୭୦), ଜୀବତୀ ନାଏକ (୩୦), ଗର୍ଭବତୀ ହେମଲତା ହୋ(୨୫)ଙ୍କ ମୃତୁ୍ୟ ହୋଇଥିଲା ।
ବଜ୍ରପାତ ଯୋଗୁଁ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲୀ ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜେଶ୍ୱରୀ ନାଏକ ଆହତ ହୋଇଥିଲେ । ମୃତାହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ।
ଖବରପାଇ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଚିକିତ୍ସାଳୟରେ ନିଜେ ବୁଝାବୁଝି କରିଥିଲେ । ପୁଲିସ୍ ମଧ୍ୟ ଗାଁରେ ପହଞ୍ଚି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲା । ମନ୍ତ୍ରୀଙ୍କ ସହିତ ଅଧ୍ୟକ୍ଷା ପପି ପୃଷ୍ଟି, ଦିଲ୍ଲୀପ ସାହୁ, ଗିରିଧାରୀ ପୃଷ୍ଟି, ମହେଶ୍ୱର ନାୟକ ଓ ସିପୁ ନାୟକ ଆସିଥିଲେ । ଆହତମାନଙ୍କୁ ସାମ୍ବାଦିକ ମାନେ ସେବା ଯୋଗାଇ ଥିଲେ ।