ଆମେରିକା-ତାଇୱାନ୍ ସମ୍ପର୍କ ନେଇ ଚୀନ୍ ଖପ୍ପା
ସମରାଭ୍ୟାସ ପାଇଁ ତାଇୱାନ ସୀମାରେ ନିୟୋଜିତ କଲା ଯୁଦ୍ଧପୋତ
ବେଜିଂ (ଏଜେନ୍ସି): ତାଇୱାନ ଆମେରିକା ସହ ସମ୍ପର୍କ ଦୃଢ଼ କରିବା ଦେଖି ବିଚଳିତ ହୋଇଯାଇଛି ଚୀନ୍ । ଫଳସ୍ୱରୂପ ତାଇୱାନକୁ ନିଜର ଶକ୍ତି ଦେଖାଇବା ପାଇଁ ସୈନ୍ୟ ଅଭ୍ୟାସର ଚେତାବନୀ ଦେଇଛି । ସୈନ୍ୟ ଅଭ୍ୟାସ ପାଇଁ ଶନିବାର ଚୀନ୍ ତାଇୱାନ ଅଭିମୁଖେ ବିପୁଳ ସଂଖ୍ୟାରେ ଯୁଦ୍ଧପୋତ ଏବଂ ଯୁଦ୍ଧ ବିମାନ ପଠାଇଛି । ତାଇୱାନ ସରକାର ଏନେଇ ସୂଚନା ଦେଇଛନ୍ତି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ ଆମେରିକୀୟ ପ୍ରତିନିଧି ମଣ୍ଡଳର ଅଧ୍ୟକ୍ଷଙ୍କୁ ଭେଟି ସ୍ୱଦେଶ ଫେରିବା ପରେ ଚୀନ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଥାଉକି, ଚୀନ୍ ଦାବି କରିଆସୁଛି ଯେ ତାଇୱାନ ତା’ର ଅଂଶବିଶେଷ ବୋଲି । ହେଲେ ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ ବୋଲି ମାନି ଆସୁଛି । ଏହି କାରଣରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଚୀନ ଏହି ସୈନ୍ୟ ଅଭ୍ୟାସରେ ନିଜ ଯୁଦ୍ଧ ବିମାନକୁ ତାଇୱାନର ଜଳ ସୀମା ଆଖପାଖ ଏବଂ ତାଇୱାନର ଉତ୍ତର, ଦକ୍ଷିଣ ଏବଂ ପୂର୍ବରେ ଅଭ୍ୟାସ କରିବ । ସେହିପରି ଚୀନ ଏହି ଅଭ୍ୟାସ ଜରିଆରେ ତାଇୱାନକୁ ନିଜ ସୈନ୍ୟ ଶକ୍ତି ଦେଖାଇବା ସହ ପୁଣିଥରେ ଯୁଦ୍ଧ ଚେତାବନୀ ଦେବାକୁ ଚାହୁଁଛି । ଚୀନ୍ ସେନା ପିଏଲ୍ଏ କହିଛି ଯେ ଯୁଦ୍ଧ ପ୍ରସ୍ତୁତି ସହ ସମ୍ବନ୍ଧିତ ତିନି ଦିବସୀୟ ପାଟ୍ରୋଲିଂ ଆରମ୍ଭ କରାଯିବା ତାଇୱାନ ଲୋକଙ୍କ ପାଇଁ ଚେତାବନୀ ଅଟେ ।
ପିଏଲଏ ଏହି ସଙ୍କେତ ଦେଇନାହିଁ ଯେ ଗସ୍ତରେ ଗତଥର ଭଳି ମିସାଇଲ ସାମିଲ କରିବ କି ନାହିଁ, ଯାହାଦ୍ୱାରା ସମୁଦ୍ର ଏବଂ ଆକାଶ ପଥରେ ପରିବହନ ପ୍ରଭାବିତ ହୋଇଥିଲା । ଆମେରିକୀୟ ପ୍ରତିନିଧି ସଭାର ଅଧ୍ୟକ୍ଷ ମାକ୍କାର୍ଥି ଗୁରୁବାର କାଲିଫର୍ଣ୍ଣିଆରେ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କ ସହ ବୈଠକ କରିଥିଲେ । ଏଥିସହିତ ସେ ସେହି ବିଦେଶୀ ଜନପ୍ରତିନିଧିମାନଙ୍କ ସହ ସାମିଲ ହୋଇଯାଇଥିଲେ, ଯେଉଁମାନେ ଚୀନର ଧମକ ମଧ୍ୟରେ ୱେନଙ୍କୁ ଭେଟିଥିଲେ । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତାଇୱାନ ସୀମା ପାଖରେ ଶନିବାର ୮ଟି ଯୁଦ୍ଧପୋତ ଏବଂ ୪୨ଟି ବିମାନ ଦେଖାଯାଇଛି । ଏଥିମଧ୍ୟରୁ ୨୯ଟି ସୀମାକୁ ପାର୍ କରିଛି । ଏହି ରେଖା ତାଇୱାନ ଏବଂ ମୁଖ୍ୟ ଭୂମି ଚୀନ୍କୁ ଅଲଗା କରିଥାଏ । ପିଏଲ୍ଏ ଏକ ବୟାନରେ କହିଛି ଯେ ଅଭ୍ୟାସ ରାଷ୍ଟ୍ରୀୟ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ରକ୍ଷା ପାଇଁ ଜରୁରୀ ଅଟେ । ସେହିପରି ତାଇୱାନ ସେନା କହିଛି ଯେ ମିସାଇଲ ରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଦିଆଯାଇଛି ଏବଂ ଚାଇନିଜ୍ ବିମାନକୁ ଚିହ୍ନଟ କରିବା ପାଇଁ ଆକାଶ ଏବଂ ସମୁଦ୍ରୀ ପାଟ୍ରୋଲିଂ ଦଳକୁ ପଠାଯାଇଛି ।