ଅଧେ ଅପରାଧ ମାମଲାର ଚାର୍ଜସିଟ୍‌ ହେଉନି

ଭୁବନେଶ୍ୱର,୮ା୪(ତଥ୍ୟ): ରାଜ୍ୟରେ ଘଟୁଥିବା ବଡ ବଡ ଅପରାଧ ସଂକ୍ରାନ୍ତରେ ଯେତିକି ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ (ସିଆର୍ପିସି ଧାରା ୧୭୩ ଅନୁଯାୟୀ ତଦନ୍ତକାରୀ ପୁଲିସ୍ ଅଧିକାରୀଙ୍କ ଚୂଡାନ୍ତ ରିପୋର୍ଟ) ଦାଖଲ ହୋଇପାରୁ ନାହିଁ । ଗତ ୫ବର୍ଷ ଧରି ଏଭଳି ସ୍ଥିତି ଜାରି ରହିଛି । ଏହିସବୁ ଅପରାଧ ମଧ୍ୟରେ ହତ୍ୟା, ଡକାୟତି, ସିନ୍ଧିଚୋରି, ଚୋରି ଓ ଧର୍ଷଣ ଭଳି ଅପରାଧ ରହିଛି । ଗତବର୍ଷ ରାଜ୍ୟରେ ଏହି ଧରଣର ୨୩,୦୮୦ଟି ମାମଲା ରୁଜୁ ହୋଇଥିବାବେଳେ ପୁଲିସ୍‌ ୧୦,୪୦୧ ଟି ମାମଲାରେ ଚାର୍ଜସିଟ୍‌ ଦାଖଲରେ ସଫଳ ହୋଇଛି । ତେବେ ଚାର୍ଜସିଟ୍‌ ମାମଲାରେ ଏଭଳି ଅବସ୍ଥା ୨୦୧୮ରୁ ପରିଲକ୍ଷିତ ହୋଇଛି । ୨୦୧୮ମସିହାରେ ଏହି ଧରଣର ମୋଟ୍‌ ୧୫,୬୩୨ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୬୫୮୫ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । ଏହା ପରବର୍ଷ ଅର୍ଥାତ୍‌ ୨୦୧୯ରେ ମାମଲା ରୁଜୁ ଓ ଚାର୍ଜସିଟ୍‌ ହାର ଯଥାକ୍ରମେ ୧୮,୧୫୧ ଓ ୬୭୭୦ ରହିଥିଲା । ୨୦୨୦ରେ ରାଜ୍ୟରେ ୧୭,୫୪୬ଟି ମାମଲା ରୁଜୁ ହୋଇଥିବାବେଳେ ଚାର୍ଜସିଟ୍‌ ସଂଖ୍ୟା ଥିଲା ମାତ୍ର ୭୬୫୪ । ତେବେ ୨୦୨୧ରେ ଚାର୍ଜସିଟ୍‌ ଦାଖଲ ସଂଖ୍ୟା ୧୦ହଜାର ଅତିକ୍ରମ କରିଥିଲା । ସେହିଭଳି ରାଜ୍ୟରେ ୨୧,୧୨୩ଟି ମାମଲା ରୁଜୁ ହୋଇଥିଲା । ଏହି ଧରଣର ଅପରାଧ ମଧ୍ୟରେ ଚୋରି ମାମଲା ସର୍ବାଧିକ ପରିଲକ୍ଷିତ ହୋଇଛି । ୨୦୨୨ରେ ରାଜ୍ୟରେ ୧୪,୮୯୩ ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ପୁଲିସ୍‌ ୫୮୫୯ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି । ତେବେ ଦୁଷ୍କର୍ମ ଭଳି ଘଟଣାରେ ଚାର୍ଜସିଟ୍‌ ଦାଖଲ ହାର ଅଧିକ ପରିଲକ୍ଷିତ ହୋଇଛି । ଗତବର୍ଷ ରାଜ୍ୟରେ ୩୧୮୪ଟି ଧର୍ଷଣ ମାମଲା ରୁଜୁ ହୋଇଥିବାବେଳେ ୨୨୩୭ଟି ମାମଲାରେ ପୁଲିସ୍‌ ଚାର୍ଜସିଟ୍‌ ଦାଖଲରେ ସଫଳ ହୋଇଥିଲା ।
ବିଭିନ୍ନ ଅପରାଧିକ ମାମଲାରେ ଚାର୍ଜସିଟ୍‌ ହାର କମ୍‌ ରହୁଥିବାରୁ ଅପରାଧିମାନଙ୍କୁ ଦଣ୍ଡ ବିଧାନ ଉପରେ ଏହାର ପ୍ରଭାବ ପଡୁଛି ରାଜ୍ୟରେ ଏବେ ବି ଦଣ୍ଡବିଧାନ ହାର ୮ ପ୍ରତିଶତ ତଳେ ରହିବାର ଏହା ଅନ୍ୟତମ କାରଣ ବୋଲି ଆଇନ୍‌ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହାବାଦ୍‌ ଧାର୍ଯ୍ୟ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇପାରୁ ନଥିବାରୁ ବହୁ କ୍ଷେତ୍ରରେ ଅପରାଧିମାନେ ସହଜରେ ଜାମିନ ପାଇବାରେ ସଫଳ ହେଉଛନ୍ତି । ଅନେକ ଅପରାଧି ଜାମିନରେ ଆସିନର୍ବାର ଅପରାଧ ଘଟାଇବାରେ ବି ସଫଳ ହେଉଛନ୍ତି ।
ତେବେ ଚାର୍ଜସିଟ୍‌ ଦାଖଲରେ ବିଳମ୍ବ କାରଣ ପୁଲିସ୍‌ ବିଭାଗରେ ମାନବ ସମ୍ବଳ ଅଭାବ ବୋଲି ଅବସରପ୍ରାପ୍ତ ପୁଲିସ୍‌ ଅଫିସରମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ମାମଲା ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ତାହାର ତଦନ୍ତ ପାଇଁ ସେହି ହାରରେ ପୁଲିସ୍‌ କର୍ମଚାରୀ ନାହାନ୍ତି । ଫଳରେ ମାମଲାର ତଦନ୍ତ କରି ଚାର୍ଜସିଟ୍‌ ପ୍ରଦାନରେ ବିଳମ୍ବ ପରିଲକ୍ଷିତ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *