ରାଜସ୍ଥାନର ସହଜ ବିଜୟ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ -୧୬
ଗୌହାଟୀ, ୮ା୪ (ଏଜେନ୍ସି): ରାଜସ୍ଥାନ ରୟାଲ୍ସ ଶନିବାର ଚଳିତ ସିଜନ୍ର ୧୧ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍ରେ ପରାସ୍ତ କରିଛି । ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଖେଳୁଥିବା ଦିଲ୍ଲୀ ଟିମ୍ର ଚଳିତ ସିଜନ୍ରେ ଏହା ତୃତୀୟ ପରାଜୟ, ଅନ୍ୟପଟେ ରାଜସ୍ଥାନର ଏହା ତିନି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ । ଏହା ଦିଲ୍ଲୀ ବିପକ୍ଷରେ ରାଜସ୍ଥାନର ଓଭର୍ଅଲ୍ ୧୪ତମ ବିଜୟ । ରାଜସ୍ଥାନର ଓପନର୍ ଯଶସ୍ୱୀ ଜୟସ୍ୱାଲ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
୨୦୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ସର୍ବାଧିକ ୬୫ ରନ୍ କରିଥିଲେ । ବିପକ୍ଷ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଯୁଜବେନ୍ଦ୍ର ଚହଲ ତିନି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨ ଓ ସନ୍ଦୀପ ଶର୍ମା ଗୋଟିଏ ୱିକେଟ୍ ପାଇଥିଲେ ।
ପେସର୍ ବୋଲ୍ଟ ଟିମ୍କୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ । ଓପନର୍ ପୃଥ୍ୱୀ ଶ’ ଓ ତିନି ନମ୍ବର ବ୍ୟାଟର୍ ମନୀଷ ପାଣ୍ଡେ ଖାତା ଖୋଲି ପାରି ବୋଲ୍ଟଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ରିଲୀ ରୋସୋ ୧୪ ରନ୍ କରି ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଅନ୍ୟତମ ଓପନର୍ ୱାର୍ଣ୍ଣର ନୂଆ ବ୍ୟାଟର୍ ଲଳିତ ଯାଦବଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୬୪ ରନ୍ର ଭାଗୀଦାରୀ ହୋଇଥିଲା । କିନ୍ତୁ ଏହା ଯଥେଷ୍ଟ ହୋଇ ନ ଥିଲା । ଲଳିତ ୩୮ ରନ୍ କରି ବୋଲ୍ଟଙ୍କ ତୃତୀୟ ଶିକାର ହୋଇଥିଲେ ।
ଏହି ଯୋଡ଼ି ଭାଙ୍ଗିବା ସହିତ ପୁଣି ସଙ୍କଟ ଆରମ୍ଭ ହୋଇଯାଇଥିଲା । ଆଉ କୌଣସି ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ୱାର୍ଣ୍ଣର ୫୫ ବଲ୍ରୁ ୭ ଚୌକା ସହାୟତାରେ ୬୫ ରନ୍ କରି ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଅକ୍ଷର ପଟେଲ ୨, ରୋଭମାନ୍ ପୱେଲ୍ ୨, ଅଭିଷେକ ପରେଲ୍ ୭ ଓ ଆନରିଚ୍ ନୋର୍ତଜେ କୌଣସି ସ୍କୋର୍ ନ କରି ଆଉଟ୍ ହୋଇଥିବା ବେଳେ କୁଲଦୀପ ଯାଦବ ୩ ଓ ମୁକେଶ କୁମାର ୧ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଦିଲ୍ଲୀ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା ।
ଓପନର୍ ଯଶସ୍ୱୀ ଜୟସ୍ୱାଲ ଓ ଜୋସ୍ ବଟ୍ଲର୍ ୫୧ ବଲ୍ରୁ ୯୮ ରନ୍ର ବିସ୍ଫୋରକ ଭାଗୀଦାରୀ କରିଥିଲେ । ମାତ୍ର ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜୟସ୍ୱାଲ୍ ବ୍ୟକ୍ତିଗତ ୬୦ (୩୧ ବଲ୍ରୁ ୧୧ ଚୌକା ଓ ୧ ଛକା ସହାୟତାରେ) ରନ୍ କରି ମୁକେଶ କୁମାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଧିନାୟକ ସଞ୍ଜୁ ସାମ୍ସନ୍ ଖାତା ଖୋଲି ନ ପାରି କୁଲଦୀପ ଯାଦବଙ୍କ ବଲ୍ରେ ପାଭିଲିଅନ୍ ଫେରିଥିବା ବେଳେ ରିୟାନ୍ ପରାଗ ୭ ରନ୍ କରି ପୱେଲ୍ଙ୍କ ଶିକାର ହୋଇଥିଲେ ।
ଏହାପରେ ବଟ୍ଲର୍ ଓ ନୂଆ ବ୍ୟାଟର୍ ଶିମରନ୍ ହେଟ୍ମାୟର ଚତୁର୍ଥ ୱିକେଟ୍ ପାଇଁ ୪୯ ରନ୍ ଯୋଗ କରିଥିଲେ । ବଟ୍ଲର୍ ୫୧ ବଲ୍ରୁ ୧୧ ଚୌକା ଓ ୧ ଛକା ସହାୟତାରେ ୭୯ ରନ୍ କରି ମୁକେଶଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଶିମରନ୍ ୨୧ ବଲ୍ରୁ ୩୯ ଓ ଧ୍ରୁବ ଜୁରେଲ୍ ୮ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *