ଚତୁର୍ଥ ଲହର ଆଶଙ୍କା
୨୪ ଘଣ୍ଟାରେ ୬୦୫୦ ପଜିଟିଭ୍ ଚିହ୍ନଟ
୭ ରାଜ୍ୟରେ ହୁହୁ ବଢୁଛି ସଂକ୍ରମଣ
୪ ଦିନରେ ୬୬% ବୃଦ୍ଧି
ଏକ୍ସବିବି.୧.୧୬ ନୂଆ ଭୂତାଣୁ ସକ୍ରିୟ
ଟେଷ୍ଟିଂ ବଢ଼ାଇବା ସହ ହଟ୍ସ୍ପଟ ଚିହ୍ନଟ ପାଇଁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ,୭ା୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାରୁ ଚତୁର୍ଥ ଲହର ଆସିବା ଆଶଙ୍କା ପ୍ରକାଶ ପାଇଛି । ଗତ ୨୪ ଘଣ୍ଟାରେ ୬୦୫୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୮,୩୦୩କୁ ବୃଦ୍ଧି ପାଇଛି । ୭ ମାସ ପରେ କରୋନାର ଦୈନିକ ସଂକ୍ରମଣ ଏତେ ଅଧିକ ହେବା ଯଥା ୪ ଦିନରେ ୬୬ ପ୍ରତିଶତ ବୃଦ୍ଧି ପାଇବା କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମଣ ସବୁଠୁ ବେଶୀ ବଢୁଛି କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତାମିଲନାଡୁ ଓ ହରିଆଣାରେ ।
ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା କରୋନାସ୍ଥିତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ସେଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ । ଏହି ଭର୍ଚୁଆଲ୍ ମିଟିଂରେ ରାଜ୍ୟମାନଙ୍କୁ ସତର୍କ ରହିବା ଏବଂ କୋଭିଡ୍-୧୯ ପରିଚାଳନା ପାଇଁ ସବୁମନ୍ତେ ପ୍ରସ୍ତୁତ ରହିବା ଲାଗି ପରାମର୍ଶ ଦିଆଯାଇଛି । ଆସନ୍ତା ୮ ଓ ୯ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କରୋନା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଏବଂ ୧୦ ଓ ୧୧ ତାରିଖ ଦିନ ସବୁ ହସ୍ପିଟାଲରେ ମକ୍ଡ୍ରିଲ୍ କରାଇବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ମକ୍ଡ୍ରିଲ୍ର ସମୀକ୍ଷା ସହିତ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍ସିଂ ବଢାଇବା, କୋଭିଡ୍ ଗାଇଡ୍ଲାଇନ୍ ଉପରେ ଫୋକସ୍ କରିବା ଉପରେ ମାଣ୍ଡବ୍ୟା ଜୋର ଦେଇଛନ୍ତି । ସେ କହିଛନ୍ତି, ଏବେ ଓମିକ୍ରନ୍ର ସବ୍ଭାରିଏଣ୍ଟ୍ ଏକ୍ସବିବି.୧.୧୬ ଦେଶରେ ବ୍ୟାପୁଛି । ଏଥିରେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରିବା ନିହାତି ଜରୁରୀ ନୁହେଁ । ଏକ୍ସବିବି.୧.୧୬ ଭୂତାଣୁରେ ସଂକ୍ରମିତ ରୋଗୀଙ୍କ ଲକ୍ଷଣ ଠିକ୍ କରୋନା ଭଳି । ମୁଣ୍ଡବିନ୍ଧା, ମାଂସପେଶୀରେ ପୀଡା, ଥକ୍କା ଲାଗିବା, ଗଳା ଦରଜ ହେବ, ନାକରେ ପାଣି ବାହାରିବା କାଶରେ କପଳ ବାହାରିବା, ଛାତିରେ ଯନ୍ତ୍ରଣା, ପେଟ ଦରଜ ହେବା ଇତ୍ୟାଦି ଏହାର ଲକ୍ଷଣ । ତେଣୁ ଭୟଭୀତ ନ ହୋଇ ଆମକୁ ସତର୍କ ରହିବାକୁ ହେବ ।
ବୈଠକରେ ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ସର୍ବଭାରତୀୟ ସ୍ତରରେ ଏସ୍ଓପି ଜାରି କରିବାକୁ ଅନୁରୋଧ କରିଥିଲେ ।