ବିରୋଧୀ ବିଚଳିତ, ହତାଶ
ବିଜେପି ପ୍ରତିଷ୍ଠା ଦିବସରେ ମୋଦିଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ (ଏଜେନ୍ସି): ବିଜେପି ନେତୃତ୍ତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ବିରୋଧୀ ସହିପାରୁ ନାହାନ୍ତି । ଘୃଣା ଓ ହତାଶାରେ ଘାଣ୍ଟି ହେଉଥିବା ଏହି ଲୋକେ ନିଜ ଭ୍ରଷ୍ଟ ନୀତି ଓ କର୍ମର ଖୋଲାସା ହେଉଥିବା ଦେଖି ବିଚଳିତ ହୋଇ ମିଛ ପରେ ମିଛ କହି ଚାଲୁଛନ୍ତି । ବିଜେପି ସାମାଜିକ ନ୍ୟାୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ।
ବିଜେପିର ୪୪ ତମ ପ୍ରତିଷ୍ଠା ଦିବସ ତଥା ହନୁମାନ ଜୟନ୍ତୀରେ ଗୁରୁବାର ପୂର୍ବାହ୍ନରେ ଦଳୀୟ ମୁଖ୍ୟାଳୟରେ ସମବେତ କର୍ମୀ, ସମର୍ଥକ, ନେତାମାନଙ୍କୁ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଯେଉଁ କାମକୁ ଦଶନ୍ଧି ଦଶନ୍ଧି ସରକାରରେ ରହିଥିବା ଦଳ କରିପାରିଲାନି ସେହି କାମ ବିଜେପି ସରକାରର କାମ ସେମାନଙ୍କୁ ସହ୍ୟ ହେଉନି । ନିରାଶ ହୋଇପଡ଼ିଥିବା କିଛି ନେତାଙ୍କ ଆଖିରେ ନିଦ ନାହିଁ । ସେମାନଙ୍କୁ କେବଳ ଗୋଟିଏ ରାସ୍ତା ଦେଖାଯାଉଛି । ଗୋଟିଏ ଚିନ୍ତା ମୋଦିଙ୍କୁ ଶେଷ କରିଦେବା । ସେମାନେ ଖୋଲାଖୋଲି କହୁଛନ୍ତି ମୋଦି ତୁମର କବର ଖୋଳିବୁ । ଅଧିକାଂଶ ଦଳ ଜନତାଙ୍କ କଲ୍ୟାଣ ଅପେକ୍ଷା ନିଜ ପରିବାରର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ସାମାଜିକ ନ୍ୟାୟର ଧ୍ୱନି ଦେଇ ପରିବାର ମଙ୍ଗଳରେ ଲିପ୍ତ ରହୁଛନ୍ତି ।
ବିଜେପି ସରକାର ଦୁର୍ନୀତି, ପ୍ରୀୟାପ୍ରିତି, ଆଇନ ଶୃଙ୍ଖଳା ପରିସ୍ଥିତିର ସମାପନ ଲାଗି ସଙ୍କଳ୍ପବଦ୍ଧ । ଏବେ ଦଳ ଏକ ନୂତନ ରାଜନୈତିକ ସଂସ୍କୃତିର ବାର୍ତ୍ତାବହ ସାଜିଛି । ଏକ ଭାରତ, ଶ୍ରେଷ୍ଠ ଭାରତ ଦଳର ଲକ୍ଷ୍ୟ ଓ ମନ୍ତ୍ର ହୋଇଛି । କେବଳ ନିର୍ବାଚନ ବିଜୟ ଆମର ଲକ୍ଷ୍ୟ ହେବା ଉଚିତ ନୁହେଁ । ଆମେ ଜନସାଧାରଣଙ୍କ ହୃଦୟ ଜୟ କରିବା ଆବଶ୍ୟକ ।
ହନୁମାନ ଜୟନ୍ତୀ ଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦଳ ହନୁମାନଙ୍କଠାରୁ ଏବଂ ହନୁମାନଙ୍କ ସାମର୍ଥ୍ୟରୁ ପ୍ରେରଣା ପାଏ । ହନୁମାନ ରାକ୍ଷସଙ୍କ ସହିତ ଲଢ଼ିବା ପରି ବିଜେପି ଦୁର୍ନୀତି ଓ ବଂଶବାଦ ରାଜନୀତି ବିରୋଧରେ ସଂଗ୍ରାମ କରୁଛି । କଂଗ୍ରେସ କେବଳ ବଂଶବାଦ ରାଜନୀତି କରେ । ବିଜେପିର ରାଜନୈତିକ ଧାରା ହେଉଛି ସମସ୍ତଙ୍କୁ ସାଥିରେ ଧରି ବଡ଼ ଆଶା କରିବା ଓ ବଡ଼ ସଫଳତା ହାସଲ କରିବା । ଏହି ଅବସରରେ ସେ ଡିଜିଟାଲ୍ ଇଣ୍ଡିଆ ଚିନ୍ତାଧାରାକୁ ବିଦ୍ରୂପ କରୁଥିଲେ । ଧାରା ୩୭୦ ଅତୀତର କଥା ହେବ ବୋଲି ସେମାନେ ପରିକଳ୍ପନା ବି କରି ପାରି ନ ଥିଲେ । ସେମାନେ ବର୍ଷ ବର୍ଷ ଧରି ଯାହା କରି ନ ପାରିଲେ ବିଜେପି ସରକାର ସ୍ୱଳ୍ପ କାଳମଧ୍ୟରେ କରି ଦେଖାଇଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରତିଷ୍ଠା ଦିବସରୁ ଏପ୍ରିଲ ୧୪ ଆମ୍ବେବଦକର ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସାମାଜିକ ନ୍ୟାୟ ଦିବସ ପାଳିତ ହେଉଛି । ୧୧ ତାରିଖରେ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବ ।