ନାଟୋ ମେଣ୍ଟ ପାଇଁ ଭାରତକୁ ଅଫର୍
ୱାଶିଂଟନ୍, ୧ା୪: ଚାଳିଶ ଦେଶର ସାମରିକ ମେଣ୍ଟ ନାଟୋ (ନର୍ଥ ଆଟ୍ଲାଣ୍ଟିକ୍ ଟି୍ରଟି ଅର୍ଗାନାଇଜେସନ୍)ରେ ଭାରତର ଯୋଗଦାନ ସମ୍ଭାବନା ସମ୍ପର୍କରେ ସଙ୍ଗଠନର ଜଣେ ବରିଷ୍ଠ ଅଧିକାରୀ ପ୍ରଥମଥର ପାଇଁ ବିବୃତି ଦେଇଛନ୍ତି । ନାଟୋର ଆମେରିକୀୟ ସ୍ଥାୟୀ ପ୍ରତିନିଧି ଜୁଲିଅନ୍ ସ୍ମିଥ୍ କହିଛନ୍ତି ନାଟୋ ମେଣ୍ଟରେ ଯୋଗଦେବା ସମ୍ପର୍କରେ ଭାରତ ସହ ଅଧିକ ଆଲୋଚନା ପାଇଁ ଦ୍ୱାର ଖୋଲା ରହିଛି । ତେବେ ଏ ଦିଗରେ ଭାରତ ଆଡୁ ଆଗ୍ରହ ପ୍ରକାଶ କରାଯିବା ଆବଶ୍ୟକ । ଦିଲ୍ଲୀରେ ଆୟୋଜିତ ବାର୍ଷିକ ରାୟସିନା ଡାୟଲଗ୍ସ ଅବସରରେ ନାଟୋ ଓ କେତେକ ଭାରତୀୟ ଅଧିକାରୀଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହା ବାଦ୍ ଏ ସମ୍ବନ୍ଧରେ ଆଉ କିଛି ବାର୍ତ୍ତା ଆଦାନପ୍ରଦାନ ହୋଇଛି ।
ସ୍ମିଥ୍ କହିଛନ୍ତି ନାଟୋରେ ଭାରତ ସାମିଲ ହେବା ପ୍ରସ୍ତାବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ପୂର୍ବରୁ ଭାରତକୁ ପ୍ରସ୍ତାବ ଦିଆଯାଇ କୁହାଯାଇଥିଲା ଯେ ଆମେରିକାର ନାଟୋ ମେଣ୍ଟ ଭଳି ଭାରତ ସହ ଅଧିକ ସାମରିକ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ।
ଏବେ ନାଟୋରେ ୪୦ ଦେଶ ସଦସ୍ୟ ରହିଛନ୍ତି । ଏପ୍ରିଲ୍ ୪ ଓ ୫ରେ ବ୍ରସେଲ୍ସଠାରେ ନାଟୋ ମେଣ୍ଟର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ବସିବ । ଏହି ବୈଠକ ପାଇଁ ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ, ଦକ୍ଷିଣ କୋରିଆ ଓ ଜାପାନକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଏହି ୪ ଦେଶ ନାଟୋ ମହାମେଣ୍ଟ ସହ ମିଳିତ ଭାବେ ଏ କାମ କରୁଛନ୍ତି । ବ୍ରସେଲ୍ସ ବୈଠକ ପାଇଁ ଭାରତକୁ ଯଦିଓ ଡକାଯାଇ ନାହିଁ, ଭବିଷ୍ୟତରେ ଭାରତ ସାମିଲ ହେବା ପାଇଁ ନାଟୋ ତା’ର ଦ୍ୱାର ଉନ୍ମୁକ୍ତ ରଖିଛି ବୋଲି ସ୍ମିଥ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ଭାରତର ଆଗ୍ରହ ସମ୍ପର୍କରେ ସ୍ପଷ୍ଟ ସୂଚନା ନମିଳିଛି, ସେ ପର୍ଯ୍ୟନ୍ତ ଭାରତକୁ ନାଟୋର ମନ୍ତ୍ରୀସ୍ତରୀୟ ମିଟିଂ ପାଇଁ ନିମନ୍ତ୍ରଣ ଦିଆଯାଇପାରିବ ନାହିଁ ।
ଜୁଲିଅନ୍ ସ୍ମିଥ୍ଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ କି ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଏବଂ ଆସିଆନ୍ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସମସ୍ତେ ଚୀନ୍ର ଆକ୍ରାମକତା ନେଇ ଉଦ୍ବିଗ୍ନ । ଭାରତକୁ ବହୁବାର ନାଟୋରେ ମିଶିବା ଲାଗି କୁହାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଭାରତ ସରକାର ନିଷ୍ପତ୍ତି ନେଇପାରି ନାହାନ୍ତି ।