୬ ଦିନ ପୂର୍ବରୁ ସରିଲା ବଜେଟ୍ ଅଧିବେଶନ

ଭୁବନେଶ୍ୱର, ୩୧ା୩ (ବୁ୍ୟରୋ): ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ଶେଷ ହୋଇଛି । ଫେବ୍ରୁଆରୀ ୨୧ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ୬ ଦିନ (୪ଟି କାର୍ଯ୍ୟ ଦିବସ) ପୂର୍ବରୁ ଶେଷ ହୋଇଛି । ଅଧିବେଶନ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ·ଲିବା ସ୍ଥିର ହୋଇଥିଲା । ଶୁକ୍ରବାର ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ବଜେଟ୍ ଅଧିବେଶନର ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୩ଟି କାର୍ଯ୍ୟ ଦିବସ ବୈଠକ ବସିଥିଲା । ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ପାରିତ ହୋଇଛି । ସରକାର ଗୃହରେ ଉପସ୍ଥାପନ କରିଥିବା ତିନୋଟି ବିଲ୍କୁ ପ୍ରତ୍ୟାହାର କରି ନେଇଛନ୍ତି ।
ସମଗ୍ର ଅଧିବେଶନ ବେଶ ସରଗରମ ରହିଥିଲା । ନବ ଦାସ ହତ୍ୟାକାଣ୍ଡ, ୫-ଟି ପ୍ରସଙ୍ଗ, ଅଫିସର ରାଜ୍, ସୀମା ବିବାଦ, ମହାନଦୀ ବିବାଦ, ଜାଲ୍ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ବିରୋଧୀ । ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରାଯିବାକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁ ନ ଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ସେହିପରି କଂଗ୍ରେସ ମଧ୍ୟ ନିନ୍ଦା କରିବା ସହ ଏହାକୁ ଅଗଣତାନ୍ତ୍ରିକ କହିଛି । ଅପରପକ୍ଷରେ ଗୃହର ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ବନ୍ଦ କରାଯାଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି । ଶୁକ୍ରବାର ଗୃହରେ ୨୦୨୧-୨୨ ଆର୍ଥିକ ବର୍ଷର ଆକାଉଣ୍ଟସ୍ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଉକ୍ତ ବର୍ଷ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯୮୫୯ କୋଟି ମିଳିଥିବା ବେଳେ ଜିଏସ୍ଟିରୁ ୨୭୮୨୬ କୋଟି ମିଳିଛି । ରାଜସ୍ୱ ଖର୍ଚ୍ଚ ବଢ଼ିଛି । ରାଜସ୍ୱ ଆୟ ୯୫୩୧୧କୋଟିରୁ ୧ଲକ୍ଷ ୯ହଜାର ୫୮୬କୋଟିକୁ ବଢ଼ିଛି । ୨୦୨୦-୨୧ରେ ୯୦୭୬କୋଟି ଟଙ୍କାର ରାଜସ୍ୱ ବଳକା ଥିବାବେଳେ ଗତବର୍ଷ ଏହା ୪୩୪୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସରକାରଙ୍କ ଉପରେ ୭୨୪୮୫ କୋଟି ଋଣ ରହିଥିଲା । ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮୫୦୮ କୋଟି ଟଙ୍କା ରହିଥିଲା । ୨୦୨୨ ମାର୍ଚ୍ଚ ସୁଦ୍ଧା ସମୁଦାୟ ଋଣ ୧୨୦୧୪୦ କୋଟି ଟଙ୍କା ଥିଲା । ସରକାର ଗତବର୍ଷ ୧୯୫୭୨୩ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୧୫୮୦୧୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେହିପରି ୩୭୭୦୬କୋଟି ଟଙ୍କା ସଞ୍ଚୟ କରିଥିଲେ । ଉକ୍ତ ବର୍ଷ ୩୨୭୦୧କୋଟି ଟଙ୍କା ନିବେଶ କରାଯାଇଛି ।
ରାଜ୍ୟ ସରକାର ଗତ ୨୨ ତାରିଖ ଦିନ ଗୃହରେ ଉପସ୍ଥାପିତ କରିଥିବା ତିନି ବିଲ୍କୁ ଶୁକ୍ରବାର ପ୍ରତ୍ୟାହାର କରିନେଇଛନ୍ତି । ସେଗୁଡିକ ହେଲା- ଓଡ଼ିଶା ପୌର ବିଧି ସଂଶୋଧନ ବିଲ୍ ୨୦୨୩, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍ ୨୦୨୩ ଏବଂ ନିୟୋଜିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଓଡ଼ିଶା ସଂଶୋଧନ ବିଲ୍ ୨୦୨୩ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *