୧୪ ଶ୍ରଦ୍ଧାଳୁ ମୃତ
ଧସିଲା ଇନେ୍ଦାର ମହାଦେବ ମନ୍ଦିର କୂଅ
ଇନେ୍ଦାର/କୋଟା, ୩ଠା୩: ମଧ୍ୟପ୍ରଦେଶର ଇନେ୍ଦାର ଠାରେ ଗୁରୁବାର ରାମନବମୀ ପୂଜା ବେଳେ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରର କୂଅ ଛାତ ଧସିଯିବାରୁ ୧୪ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ୪୦ ଫୁଟ୍ ଗଭୀରକୁ ପ୍ରାୟ ୩୫ ଜଣ ଶ୍ରଦ୍ଧାଳୁ ଖସିପଡିଥିଲେ । ସେମାନଙ୍କ ଭିତରୁ ୧୭ ଜଣଙ୍କ ଜୀବନ ରକ୍ଷା କରାଯାଇଛି । କୂଅ ଭିତରୁ ୧୧ ଶବ ଉପରକୁ ଅଣାଯାଇଥିଲା । ଅନ୍ୟ ୩ ଜଣଙ୍କର ଚିକିତ୍ସା ବେଳେ ମୃତୁ୍ୟ ଘଟିଛି । କୂଅରେ ପ୍ରାୟ ୫ ଫୁଟ ପାଣି ଥିଲା । ୩ଟି ପମ୍ପ୍ ସାହାଯ୍ୟରେ ପାଣି ନିଷ୍କାସନ କରାଯିବା ପରେ ଦ୍ୱିତୀୟ ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବୁଡାଳୀ ଓ ଏନ୍ଡିଆର୍ଏଫ୍ ଟିମ୍ ସହଯୋଗ କରିଥିଲେ । କୂଅ ଭିତରେ ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା ଥିବାରୁ ରେସ୍କୁ୍ୟ ପାଇଁ ଆର୍ମି ଟିମ୍କୁ ମଧ୍ୟ ଡକାଯାଇଛି ।
ମନ୍ଦିରରେ ଯଜ୍ଞ ଚାଲିଥିଲା, କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ପ୍ରବଳ ଗହଳି ହୋଇଥିଲା । ଭିଡ଼ ବଢ଼ିବାରୁ କୂଅର ଛାତ ଖସି ପଡ଼ିଲା ।
ଅଗ୍ନିଶମ ବାହିନୀ, ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଲୋକେ କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢ଼ିଯିବାରୁ କୂଅର ଛାତ ଭୁଶୁଡ଼ି ପଡ଼ିଲା । ଲୋକେ କିଛି ଭାବିବା ପୂର୍ବରୁ କୂଅ ଭିତରକୁ ଖସି ପଡ଼ିଥିଲେ ।
ମନ୍ଦିର ନିକଟରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଏହି କୂଅ ବେଆଇନ ଭାବେ ତିଆରି କରାଯାଇଛି । ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେହେଁ ପଦକ୍ଷେପ ନିଆଯାଇ ନାହିଁ ।
ଅନ୍ୟ ଏକ ଖବର ଅନୁଯାୟୀ, ରାଜସ୍ଥାନର ଚମ୍ବଲ ନଦୀ ତଟବର୍ତ୍ତୀ କୋଟା ସହରରେ ରାମ ନବମୀ ଶୋଭାଯାତ୍ରା ବେଳେ କରେଣ୍ଟ୍ ଲାଗି ୩ ଜଣ ଶ୍ରଦ୍ଧାଳୁଙ୍କର ମୃତୁ୍ୟ ହୋଇଛି ଏବଂ ୪ ଜଣ ଗୁରୁତରଭାବେ ପୋଡିଯାଇଛନ୍ତି । ଆଖଡାର ଜଣେ ଯୁବକ ଚକ୍ରକୁ ତଳକୁ ଖସାଇବା ବେଳେ ହାଇଟେନ୍ସନ୍ ବିଜୁଳି ତାରରେ ତାହା ଲାଖିଯିବାରୁ ୭ ଜଣ ଯୁବକଙ୍କ ଦେହରେ କରେଣ୍ଟ୍ ଲାଗିଥିଲା ।